ବିଧାନସଭା ଭୋଟ ହାର: ୨୦୧୯ ତୁଳନାରେ ବିଜେଡିର କମିଛି ୪.୪୯ %, ବିଜେପିର ବଢ଼ିଛି ୭.୫୮ %

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଧାନସଭା କ୍ଷେତ୍ରରେ ବିଜେପିକୁ ୭୮ ଆସନ ମିଳିଥିବାବେଳେ ବିଜେଡି ୫୧ଟି ଆସନ ପାଇଛି। କଂଗ୍ରେସକୁ ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିବାବେଳେ ସିପିଆଇ(ଏମ)କୁ ମିଳିଛି ମାତ୍ର ଗୋଟିଏ ଆସନ। ବିଧାନସଭା ଆସନ କ୍ଷେତ୍ରରେ ବିଜେଡିର ଭୋଟହାର ବିଜେପିଠାରୁ ଅଧିକ ରହିଛିଟ୍ଟ କିନ୍ତୁ ଆସନ ସଂଖ୍ୟା ବିଜେପିଠାରୁ କମ ରହିଛି। ସମାନ ପରିସ୍ଥିତି କଂଗ୍ରେସରେ ଦେଖିବାକୁ ମିଳିଛି। ରାଜ୍ୟରେ କଂଗ୍ରେସର ଭୋଟହାର ଗତ ସାଧାରଣ ନିର୍ବାଚନ ଅପେକ୍ଷା କମିଥିଲେ ବି ୬ଟି ଆସନ ଅଧିକ ପାଇଛି।

ବିଧାନସଭା କ୍ଷେତ୍ରରେ ରାଜନୈତିକ ଦଳଗୁଡିକୁ ମିଳିଥିବା ଭୋଟହାର ବ୍ୟବଧାନ ଦେଖିଲେ ବିଜେଡି ଆଗରେ ରହିଛି। ବିଜେପିକୁ ୧ କୋଟି ୬୪ ହଜାର ୮୨୭ ଖଣ୍ଡ ଭୋଟ ବା ୪୦.୦୭ % ଭୋଟ ମିଳିଛି। ବିଜେଡିକୁ ୧ କୋଟି ୧ଲକ୍ଷ ୨ ହଜାର ୪୫୪ ଖଣ୍ଡ ଭୋଟ ମିଳିଥିବାରୁ ଦଳର ଭୋଟହାର ୪୦.୨୨ପ୍ରତିଶତରେ ପହଞ୍ଚିଛି। କଂଗ୍ରେସକୁ ୧୪ଟି ଆସନରେ ୩୩ ଲକ୍ଷ ୩୧ ହଜାର ୩୧୯ ଖଣ୍ଡ ଭୋଟ ମିଳିବା ଦ୍ବାରା ଭୋଟହାର ୧୩.୨୬ପ୍ରତିଶତ ରହିଛି। ବଣାଇ ବିଧାନସଭା ଆସନ ସିପିଆଇ (ଏମ) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କୁ ୯୩ ହଜାର ୨୯୫ ଖଣ୍ଡ ଭୋଟ ମିଳିଥିବା ବେଳେ ଭୋଟହାର ହେଉଛି ୦.୩୭ପ୍ରତିଶତ। ଜେଏମଏମ ୦.୨୫ପ୍ରତିଶତ, ଏସପି ୦.୭ ପ୍ରତିଶତ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ୪ ପ୍ରତିଶତ ଭୋଟ ମିଳିଛି। ନୋଟାରେ ପଡିଛି ୨ ଲକ୍ଷ ୫୭ ହଜାର ୩୫୫ଖଣ୍ଡ ଭୋଟ, ଅର୍ଥାତ୍‌ ୧.୦୨ ପ୍ରତିଶତ। ୪ଟି ପର‌୍ୟ୍ୟାୟରେ ଭୋଟ ଗ୍ରହଣ ହୋଇଥିବା ବେଳେ ଅଢେଇ କୋଟିରୁ ଊର୍ଦ୍ଧ୍ବ ମତଦାତା ଭୋଟ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫୭ ହଜାର ୩୫୫ ମତଦାତାଙ୍କର କୌଣସି ପ୍ରାର୍ଥୀ ପସନ୍ଦ ଆସିନାହିଁ। ଫଳସ୍ବରୂପ ୧ ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ନୋଟାକୁ ଯାଇଛି। ୨୦୧୯ ବିଧାନସଭା ନିର୍ବାଚନ ଭୋଟହାରକୁ ତୁଳନା କଲେ ୨୦୨୪ରେ ବିଜେଡିର ଭୋଟହାର ପ୍ରାୟ ୪.୪୯ ପ୍ରତିଶତ କମିଛିଟ୍ଟ କିନ୍ତୁ ୨୦୧୯ରେ ବିଜେଡିକୁ ୧୧୨ଟି  ଆସନ ମିଳିଥିଲା। ବିଜେପିକୁ ୨୩ଟି ଆସନ ମିଳିଥିବାରୁ ଭୋଟହାର ୩୨.୪୯ ପ୍ରତିଶତ ଥିଲା। ଚଳିତ ନିର୍ବାଚନରେ ବିଜେପିକୁ ୭୮ଟି ଆସନ ମିଳିଛି। ଗତ ସାଧାରଣ ନିର୍ବାଚନ ଅପେକ୍ଷା ୭.୫୮ପ୍ରତିଶତ ଅଧିକ ଭୋଟ ପାଇଛି। ସେହିପରି କଂଗ୍ରେସର ଭୋଟହାର କମିଛି। ୨୦୧୯ରେ ଦଳ ୯ଟି ଆସନ ପାଇଥିବା ବେଳେ ଭୋଟହାର ୧୬.୧୨ପ୍ରତିଶତ ଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଆସନ ସଂଖ୍ୟା ୧୪କୁ ବଢିଥିଲେ ମଧ୍ୟ ଭୋଟହାର ୧୩.୨୬ ପ୍ରତିଶତକୁ ଖସି ଆସିଛି। ବିଜେଡିର ୪ପ୍ରତିଶତ ଏବଂ କଂଗ୍ରେସର ୩ ପ୍ରତିଶତ ଭୋଟ କମିଛି। ଉଭୟ ବିଜେଡି  ଏବଂ କଂଗ୍ରେସର ଯେଉଁ ୭ପ୍ରତିଶତ ଭୋଟ କମିଛି ତାହା ବିଜେପି ଖାତାକୁ ଯାଇଛି।

ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟି ଆସନ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସକୁ କୋରାପୁଟ ଲୋକସଭା ଆସନ ମିଳିଛି। ଏହି ଲୋକସଭା ‌େକ୍ଷତ୍ରରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ବିଜୟୀ ହୋଇଛନ୍ତି। ଲୋକସଭା କ୍ଷେତ୍ରକୁ ଦେଖିଲେ ବିଜେପିକୁ ୧ କୋଟି ୧୩ ଲକ୍ଷ ୩୫ ହଜାର ୫୪୯ ଖଣ୍ଡ ଭୋଟ ମିଳିଛି, ଯାହାକି ୪୫.୩୪ ପ୍ରତିଶତ। ବିଜେଡି ଗୋଟିଏ ହେଲେ ଆସନରେ ଜିତି ପାରି ନଥିଲେ ମଧ୍ୟ ୯୩ ଲକ୍ଷ ୮୨ ହଜାର ୭୧୧ ଭୋଟ ପାଇଛି, ଏବଂ ଭୋଟ ହାର ରହିଛି ୩୭.୫୩ ପ୍ରତିଶତ। କଂଗ୍ରେସକୁ ୩୧ ଲକ୍ଷ ୩୦ ହଜାର ୫୬ ଖଣ୍ଡ ଭୋଟ ମିଳିଥିବା ବେଳେ ଭୋଟହାର ୧୨.୫୨ ପ୍ରତିଶତ ରହିଛି। ନୋଟାରେ ପଡିଛି ୩ଲକ୍ଷ ୨୪ ହଜାର ୫୮୮ଭୋଟ, ଯାହାକି ୧.୩୦ ପ୍ରତିଶତ। ଯୁବ ଭୋଟରଙ୍କ କୌଣସି ପ୍ରାର୍ଥୀ ଏବଂ ଦଳ ଉପରେ ଭରସା ଆସୁ ନଥିବାରୁ ସେମାନେ ବାଧ୍ୟ ହୋଇ ନୋଟାରେ ଭୋଟ ଦେଉଛନ୍ତି। ୨୦୧୯ରେ ବିଜେଡି ୧୨ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ବିଜେପି ୮ଟି ଆସନ ଏବଂ କଂଗ୍ରେସକୁ କେବଳ କୋରାପୁଟ ଆସନ ମିଳିଥିଲା, ବିଜେପିର ଭୋଟହାର ୩୮.୪ ପ୍ରତିଶତ ଏବଂ କଂଗ୍ରେସକୁ ୧୩.୪ପ୍ରତିଶତ ଭୋଟ ମିଳିଥିଲା।

ଅନ୍ୟପକ୍ଷରେ ୧୪୭ ବିଧାନସଭା ଆସନ ମଧ୍ୟରୁ ଉତ୍ତର ଓଡ଼ିଶାରେ ୪୧ଟି ଆସନରୁ ବିଜେପିକୁ ୨୫ ଆସନ ମିଳିଥିବାବେଳେ ବିଜେଡିକୁ ୧୪ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ଉକ୍ତ ଅଞ୍ଚଳରେ ପ୍ରାୟତଃ ଚତୁର୍ଥ ପର‌୍ୟ୍ୟାୟରେ ମତଦାନ ହୋଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ୬୫ ଆସନ ମଧ୍ୟରୁ ବିଜେପିକୁ ୩୨, ବିଜେଡି ୨୮ ଏବଂ କଂଗ୍ରେସ ୧, ସିପିଆଇ(ଏମ୍‌)କୁ ୧ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଛି। ଦ୍ବିତୀୟ ଓ ତୃତୀୟ ପର‌୍ୟ୍ୟାୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୋଟ ଗ୍ରହଣ ହୋଇଥିଲା। ସେହିପରି ଦକ୍ଷିଣ ଓଡ଼ିଶାରେ ୪୧ଟି ଆସନ ମଧ୍ୟରୁ ବିଜେପି ୨୧, ବିଜେଡି ୯ ଏବଂ କଂଗ୍ରେସକୁ ୧୧ଟି ଆସନ ମିଳିଛି, ଯାହା ପ୍ରଥମ ପର‌୍ୟ୍ୟାୟରେ ଭୋଟ ଗ୍ରହଣ ହୋଇଛି। ସାରା ରାଜ୍ୟରେ ପରିବର୍ତ୍ତନ ହାୱା ଯୋଗୁଁ ବିଜେଡିର ଆସନ ସଂଖ୍ୟା କମିଛି ଏବଂ ବିଜେପି ମ୍ୟାଜିକ୍‌ ସଂଖ୍ୟାଠାରୁ ଆଗରେ ରହିଛି। ଦକ୍ଷିଣରେ କଂଗ୍ରେସ ପ୍ରଦର୍ଶନ ଭଲ ରହିଛି।

Comments are closed.