ବୌଦ୍ଧ କୋର୍ଟ ସମ୍ମୁଖରେ ଅଭାବନୀୟ ଦୃଶ୍ୟ ; ମାଆର ମୁଖାଗ୍ନି ପାଇଁ ବଡ ପୁଅର ଜାମିନ ମାଗୁଛନ୍ତି ପରିବାର

ଆମ୍ବୁଲାନସରେ ୩ ଘଣ୍ଟା କୋର୍ଟ ଆଗରେ ମାଆର ମୃତ ଦେହ ଧରି ରହିଲେ ପରିବାର, ଜେଲକୁ ଯାଇ ମାର ମୃତ ଦେହ ପୁଅକୁ ଦେଖାଇ ଶବ ଦାହ ପାଇଁ ଗାଁକୁ ନେଲେ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ ଅଦାଲତ ସମ୍ମୁଖରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳଛି । ମୃତ ମାଆର ମୁଖାଗ୍ନି ପାଇଁ ଜେଲରେ ଥିବା ବଡ ପୁଅର ଜାମିନ ଲାଗି ମାଆର ମୃତଦେହ ରଖି ଅଦାଲତ ଆଗରେ ୩ ଘଣ୍ଟା ଧରି ରହିଲେ ପରିବାର । ମିଳିଥିବା ତଥ୍ୟ ଅନୁଯାୟୀ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଳାସପୁର ଗ୍ରାମପଞ୍ଚାୟତର ପଦରପଡା ଗ୍ରାମର ମେଘନାଦ ସାହୁ(୪୮) ବିଳାସପୁର ସେବା ସମବାୟ ନିର୍ବାଚନରେ ଗଣ୍ଡଗୋଳ ଘଟଣାରେ ମନମୁଣ୍ଡା ପୁଲିସ ଦ୍ୱାରା ଗିରଫ ହୋଇ ବର୍ତ୍ତମାନ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରଧିନ ବନ୍ଦୀ ଭାବରେ ଗତ ଜୁନ ୨୫ତାରିଖ ଠାରୁ ଅଛନ୍ତି । ଏହି ଗଣ୍ଡଗୋଳ ମାମଲାରେ ମେଘନାଦଙ୍କ ସମେତ ଆହୁୁରି ୮ ଜଣ ଅଭିଯୁକ୍ତ ଅଛନ୍ତି । ମେଘନାଦ ଜେଲ ଯିବାର ଦୁଇଦିନ ପରେ ତାଙ୍କ ବାପା ବୁଧୁ ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ମେଘନାଦ ଘରର ବଡପୁଅ ହୋଇଥିବାରୁ ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ପରିବାର ଲୋକ ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ। କିନ୍ତୁ ଅଦାଲତର ବିଚାରପତି ମେଘନାଦକୁ ଜାମିନ ନଦେବାରୁ ସେ ମୁଖାଗ୍ନି ଦେଇପାରି ନଥିଲା। ପୁଣି ବାପାଙ୍କ ମୃତ୍ୟୁର ୨୦ ଦିନ ପରେ ବୁଧବାର ଦିନ ମାଆ ବେଟିଖାଇ ସାହୁଙ୍କ ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏନେଇ ପରିବାରଲୋକ ପୁଣି ମାଆକୁ ମୁଖାଗ୍ନି ଦେବା ପାଇଁ ମେଘନାଦର ଜାମିନ ସକାଶେ ମାଅର ଶବକୁ ଆମ୍ବୁଲାନସରେ ଧରି ବୌଦ୍ଧ ଅଦାଲତକୁ ଆସିଥିଲେ । ଏପଟେ ଗତ ୧୬ତାରିଖରେ ମେଘନାଦର ଜାମିନ ନାମଞ୍ଜୁର ହୋଇସାରିଛି । ଫଳରେ ମେଘନାଦର ଜାମିନ ପାଇଁ କୌଣସି ପିଟିସନ ଦାଖଲ ହୋଇନଥିଲା । ଏକ ଆମ୍ବୁଲାନସରେ ଶବ ସହିତ ପରିବାର ଲୋକ ଦୀର୍ଘ ତିନି ଘଣ୍ଟା ସମୟ ଅଦାଲତ ସମ୍ମୁଖରେ ଅପେକ୍ଷା କରିବା ପରେ ଜାମିନ ନମିଳିବାରୁ ମାଆର ଶବକୁ ଧରି ମେଘନାଦ ଥିବା ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାର ସମ୍ମୁଖରେ ପହଞ୍ଚିଥିଲେ । ଜେଲ କର୍ତ୍ତୃପକ୍ଷ କେବଳ ମେଘନାଦକୁ ମାଆର ମୃତ ଦେହକୁ ଦେଖାଇଥିଲେ । ଶେଷରେ ପରିବାର ନିରାଶ ଓ ନିରୁପାୟ ହୋଇ ମୃତ ମାଆର ଶବକୁ ସତ୍କାର କରିବାପାଇଁ ପୁର୍ନବାର ଘରକୁ ନେଇ ଯାଇଥିଲେ । ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

kalyan agarbati

Comments are closed.