ଭୁବନେଶ୍ୱର : ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୮ ବର୍ଷର ବିଜେଡି ସରକାର ସମୟରେ ରାଜ୍ୟରେ ଯୁବଗୋଷ୍ଠୀ ସବୁଠାରୁ ଅବହେଳିତ ଏବଂ ପ୍ରତାରିତ ହୋଇଛନ୍ତି। ଜନସଂଖ୍ୟା ପ୍ରାୟ ୪.୫ କୋଟି ଥିବାବେଳେ ୨୦୧୮ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୮୫ ଲକ୍ଷ ଯୁବକ ଯୁବତୀ ବେକାର ରହିଥିଲେ। ସେମାନଙ୍କ ମଧ୍ୟରେ ପ୍ରାୟ ୩ ଲକ୍ଷ ସ୍ନାତକ ଡିଗ୍ରୀଧାରୀ। ସରକାରୀ ଚାକିରି ହ୍ରାସ ପାଉଛି। ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ନାମରେ ରାଜ୍ୟର ଯୁବକ ଯୁବତୀଙ୍କୁ ଭୁଆଁ ବୁଲାଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ ବିଜେଡ଼ି ସରକାର ବିଭିନ୍ନ ସରକାରୀ ବିଭାଗରେ ଅଧିକାଂଶ କାମ ଘରୋଇ ସଂସ୍ଥାଗୁଡିକୁ ଠିକାରେ ଦେଇଛନ୍ତି। ଫଳରେ ସେଠାରେ ରାଜ୍ୟର ଯୁବକ ଯୁବତୀ ସିଧାସଳଖ ନିଯକ୍ତି ପାଇବା ଆଶା ମଉଳି ଯାଇଛି। ଓଡ଼ିଶାର ପାଖାପାଖି ୬୦ ଲକ୍ଷ ଲୋକ ଦାଦନ ଖଟୁଥିବାବେଳେ ରାଜ୍ୟ ସରକାର କ’ଣ କରିଛନ୍ତି ତା’ର ଉତ୍ତର ରଖନ୍ତୁ। ବିଜୁ ଯୁବ ବାହିନୀରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟର ଲକ୍ଷ ଲକ୍ଷ ଯୁବଗୋଷ୍ଠୀଙ୍କ କାନ୍ଧରେ ପାଦ ରଖି ବିଜେଡ଼ି ନିର୍ବାଚନ ବୈତରଣୀ ପାର ହେବାକୁ ଯେଉଁ ଯୋଜନା କରିଛି, ତାହା ସାକାର ହେବନାହିଁ। ବିଜେଡିର କୁପରିଚାଳନାରେ ଯୁବଗୋଷ୍ଠୀ ‘ହିରୋ’ ନୁହେଁ, ‘ଜିରୋ’ ପାଲଟିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
Popular Categories



