ନୀଳଗିରି: ପ୍ରେମୀଯୁଗଳ ଘର ଛାଡ଼ି ପଳାଇବାରେ ପରେ ଉଭୟ ପରିବାରରୁ ସ୍ୱୀକୃତି ପାଇ ବିବାହ କରିଥିଲେ। ମାତ୍ର ୪ଦିନ ହେବ ଶାଶୂଘରେ ସୁଖ ସଂସାର ଗଢୁଥିବା ଜଣେ ୧୪ବର୍ଷୀୟା ନାବାଳିକାର ବାଲ୍ୟ ବିବାହ କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ଖବର ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ସଂସ୍ଥା ସମ୍ପୃକ୍ତା ବାଳିକା ବୋଧୂକୁ ଉଠାଇ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ନୀଳଗିରି ସହର ଅଧୀନ ଗୁଡ଼ିଖାଣିଆ ଅଞ୍ଚଳର ଜଣେ ୨୧ବର୍ଷୀୟ ଯୁବକ ସେହି ଗାଁର ଜଣେ ନାବାଳିକାକୁ ଭଲ ପାଉଥିଲେ। ପରିବାର ସେମାନଙ୍କୁ ବିବାହ କରିବାରେ ସ୍ୱୀକୃତି ନଦେବାରୁ ସେମାନେ ଘର ଛାଡ଼ି ପଳାଇ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇ ସେମାନେ ଗାଁ ପହଞ୍ଚିବା ପରେ ସେମାନଙ୍କ ବିବାହ କରାଯାଇଥିଲା। ଏହା ଏକ ବାଲ୍ୟ ବିବାହ ଏବଂ ଆଇନ ସମ୍ମତ ନୁହଁ ବୋଲି ଅଭିଯୋଗ କରି ଶୁକ୍ରବାର ଚାଇଲ୍ଡ ଲାଇନ ସଂସ୍ଥାର ପଞ୍ଚାନନ ତ୍ରିପାଠୀ, ତପସ୍ୱିନୀ ରାଉତ ଓ ନୀଳଗିରି ଆଇସିଡିଏସ ପରିଦର୍ଶିକା ପ୍ରମୁଖ ନାବାଳିକାର ଶାଶୂ ଘରେ ପହଞ୍ଚିଥିଲେ। ପରିବାର ପକ୍ଷରୁ ବୟସ ପ୍ରମାଣପତ୍ର ଯୋଗାଡ଼ କରି ନପାରିବାରୁ ଚାଇଲ୍ଡ ଲାଇନ ସଂସ୍ଥାର କର୍ମଚାରୀମାନେ ସମ୍ପୃକ୍ତା ବାଳିକା ବୋଧୂଙ୍କୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି।



