ପଥର ଖାଦାନରୁ ମିଳିଲା ନର କଙ୍କାଳ, ହତ୍ୟା ସନ୍ଦେହ
ନୀଳଗିରି: ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ଟିଆକଟାଠାରେ ଥିବା ଏକ ପରିତ୍ୟକ୍ତ ପଥର ଖାଦାନରୁ ନରକଙ୍କାଳ ଉଦ୍ଧାର କରାଯାଇଛି । ସମ୍ପ୍ରତି ଏହା ମହିଳା କି ପୁରୁଷର ବୋଲି ଚିହ୍ନଟ କରାଯାଇନଥିଲେ ହେଁ ହତ୍ୟା ସନ୍ଦେହ କରାଯାଇଛି । ଉକ୍ତ ସ୍ଥାନରେ ସଜନାଗଡ଼ ନିକଟ କାଳିଝାଟି ଗାଁର ଛକା ମହାନ୍ତି ନାମକ ବ୍ୟକ୍ତି ପଥର ଖାଦାନ କରି ଆସୁଥିଲେ ।
ବନବିଭାଗର କଟକଣା ଯୋଗୁ ଏହି ଖାଦାନ ଦୀର୍ଘ ପ୍ରାୟ ୧୦ବର୍ଷ ହେବ ବନ୍ଦ ହୋଇ ପଡ଼ିଛି । ଆଜି ସ୍ଥାନୀୟ କେତେକ ଲୋକେ ସେହି ଅଞ୍ଚଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ନରକଙ୍କାଳ ପଡ଼ିଥିବା ଦେଖି ଭୟଭୀତ ହୋଇ ଯାଇଥିଲେ । ଏହି କଙ୍କାଳଟି ପ୍ରାୟ ୫/୬ମାସ ପୂର୍ବରୁ ବୋଲି ଅନୁମାନ କରାଯାଉଛି । ଖବରପାଇ ବରହମପୁର ଥାନା ଏଏସ୍ଆଇ କଳ୍ପତରୁ ସାହୁ ପହଞ୍ଚି ଉକ୍ତ କଙ୍କାଳକୁ ଜବତ କରିଛନ୍ତି ।
ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଲାବ୍କୁ ପଠାଯିବା ପରେ ନରକଙ୍କାଳର ରହସ୍ୟ ଉନ୍ମୋଚନ ହେବ ବୋଲି ଆଇଆଇସି ଆର୍ତ୍ତତ୍ରାଣ ସେଠୀ କହିଛନ୍ତି । ତେବେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ଏହି ନିର୍ଜନ ତଥା ପରିତ୍ୟକ୍ତ ପଥର ଖାଦାନରେ ଫିଙ୍ଗି ଦେଇ ହତ୍ୟାକାରୀ ଚମ୍ପଟ ମାରିଥିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ସନ୍ଦେହ କରାଯାଉଛି । ବାଲେଶ୍ୱର ଏସ୍ପି ଏହାର ତଦନ୍ତ କରିବାକୁ ଦାବି ହୋଇଛି ।
Comments are closed.