ଡେସ୍କ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର ଆୟୋଗ ସ୍ୱତଃସ୍ପୃତ ଭାବେ ଗ୍ରହଣ କରିଛନ୍ତି। ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ସମେତ ବହୁ ସଂଖ୍ୟକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟକୁ ଉଲ୍ଲେଖ କରି ଏନଏଚଆରସି ତାମିଲନାଡୁ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରି ଏକ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଛି। ଆୟୋଗ କହିଛନ୍ତି ଯେ ଏହି ଖବରର ବିଷୟବସ୍ତୁ ଯଦି ସତ ହୁଏ, ତେବେ ପୀଡ଼ିତଙ୍କ ବଂଚିବାର ଅଧିକାର ଉଲ୍ଲଂଘନ ଭଳି ଘଟଣା ଘଟିଛି।
ଏହି ରିପୋର୍ଟରେ ଏତଲାର ସ୍ଥିତି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କ ଚିକିତ୍ସା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ବଣ୍ଟନର ସ୍ଥିତିକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କମିଶନ ଆଶା ରଖିଛନ୍ତି। ଏହି ଦୁର୍ଘଟଣା ପାଇଁ ଦାୟୀ ଦୋଷୀ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ ମଧ୍ୟ କମିଶନ ରିପୋର୍ଟରେ ଉଲ୍ଲେଖ କରିବାକୁ କହିଛନ୍ତି।



