ଦୁର୍ଘଟଣା ପ୍ରବଣ ୫୭ନଂ ଜାତୀୟ ରାଜପଥ: ୪ବର୍ଷରେ ୧୪୮ ଦୁର୍ଘଟଣା; ୪୭ମୃତ, ୧୭୯ ଆହାତ

ହରଭଙ୍ଗା: ଆଉମାତ୍ର ଦିନ କେଇଟା ପରେ ସମସ୍ତେ ପୁରୁଣା ବର୍ଷ-୨୦୨୦କୁ ବିଦାୟ ଦେଇ ନୂଆ ବର୍ଷ ୨୦୨୧କୁ ଆନନ୍ଦଉଲ୍ଲାସରେ ସ୍ବାଗତ କରିବାକୁ ଚାହିଁବସିଛନ୍ତି। କରୋନା ମହାମାରୀ ଯୋଗୁଁ ସମସ୍ତଙ୍କ ପାଇଁ ୨୦୨୦ ମସିହା ସବୁଠାରୁ ଦୁଃଖଦପୂର୍ଣ୍ଣ ବର୍ଷ ହୋଇରହିଛି। କରୋନା ପ୍ରଭାବରେ ସଟଡାଉନ ଏବଂ ଲକଡାଉନ ଯୋଗୁଁ ଜୀବନଯାତ୍ରା ଦୀର୍ଘ ୭ରୁ୮ମାସ ସଂପୂର୍ଣ୍ଣ ମାତ୍ରାରେ ପ୍ରଭାବିତ ହୋଇଛି। ଯାହାଫଳରେ ଗାଡିଚଳାଚଳ ବନ୍ଦ ଯୋଗୁଁ ସଡକ ଦୁର୍ଘଟଣାରେ ହ୍ରାସ ଘଟିଛି। ମାତ୍ର ଚଳିତବର୍ଷ ଅକ୍ଟୋବରରୁ ଗାଡି ଚଳାଚଳ ପରେ ଦୁଇରୁ ଅଢେଇ ମାସ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ବାର୍ଷିକ ଆକଳନଠାରୁ ବେଶ୍ ଅଧିକ ହୋଇଥିବା ରିପୋର୍ଟରୁ ଜଣାପଡିଛି।


ମିଳିଥିବା ରିପୋର୍ଟ ଅନୁସାରେ ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଅଞ୍ଚଳରେ ୨୦୧୭ ମସିହାରେ ଜାତୀୟ ରାଜପଥରେ ସମୁଦାୟ ୩୬ଟି ଛୋଟବଡ ସଡକ ଦୁର୍ଘଟଣାରେ ୧୪ଜଣ ପ୍ରାଣ ହରାଇଥିବାବେଳେ ୨୩ଜଣ ଆହାତ ହୋଇଥିବା ଜଣାପଡିଛି। ସେହିପରି ୩୦ ଡିସେମ୍ବର ୨୦୧୮ ସୁଦ୍ଧା ଏହି ଜାତୀୟ ରାଜପଥରେ ସମୁଦାୟ ୪୭ଟି ଛୋଟବଡ ସଡକ ଦୁର୍ଘଟଣାରେ ୧୨ଜଣ ପ୍ରାଣ ହରାଇଥିବାବେଳେ ୯୦ଜଣ ଆହତ ହୋଇଥିବା ଜଣାପଡିଛି। ୨୦୧୯ ଡିସେମ୍ବର ୩୦ ସୁଦ୍ଧା ୩୪ଟି ଛୋଟବଡସଡକ ଦୁର୍ଘଟଣାରେ ୧୧ଜଣ ପ୍ରାଣ ହରାଇଥିବାବେଳେ ୪୫ଜଣ ଆହାତ ହୋଇଥିବା ଜଣାପଡିଛି। ୨୦୨୦ ଡିସେମ୍ବର ୧୬ତାରିଖ ସୁଦ୍ଧା ୩୧ଟି ଦୁର୍ଘଟଣାରେ ୧୦ଜଣ ପ୍ରାଣ ହରାଇଥିବାବେଳେ ୨୧ଜଣ ଆହାତ ହୋଇଥିବା ଜଣାପଡିଛି। ବିଶେଷକରି ଏହି ଥାନା ଅଧିନରେ ରହିଥିବା ଜାତୀୟ ରାଜପଥର ଆଡେଣିଗଡ,ପୁରୁଣାକଟକ ଏବଂ ଲୁଣିବାହାଲ ମଧ୍ୟରେ ଅଧିକାଂଶ ଦୁର୍ଘଟଣା ଘଟିଥିବା ରିପୋର୍ଟରୁ ଜଣାପଡିଛି। ବ୍ଲକର ସବୁଠାରୁ ଜନଗହଳିପୂର୍ଣ୍ଣ ପୁରୁଣାକଟକ ବଜାର ନିମନ୍ତେ ବାଏପାସ୍‌ ରାସ୍ତା ନିର୍ମାଣ ଜରୁରୀ ରହିଛି। ମାତ୍ର ଏଥିପ୍ରତି ଜାତୀୟ ରାଜପଥ ବିଭାଗର ଆନ୍ତରିକତା ଅଭାବ ଯୋଗୁଁ ବାଏପାସ୍‌ ନିର୍ମାଣ ଯୋଜନାରେ ସୀମିତ ରହିଛି। ଦୁର୍ଘଟଣା ପ୍ରବଣ ଜାତୀୟ ରାଜପଥର କରଡାକୋଠା, ରୋହଣୀ ବାଙ୍କ ଭଳି ବୁଲାଣି ରାସ୍ତାର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସ୍ପିଡ୍‌ ବେକ୍ରର୍ ନିର୍ମାଣ କରାଯାଉନାହିଁ କି ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି ବଡ ବଡ ସାଇନବୋର୍ଡ ଲଗାଇ ସୂଚନା ଦିଆ ଯାଉ ନ ଥିବାରୁ ବହୁ ସମୟରେ ଅଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଇବା ସହ ପଥଚାରୀଙ୍କ ପାଇଁ ଏହା ମରଣଯନ୍ତା ପାଲଟିଛି। ଏଥିପ୍ରତି ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

ପ୍ରକାଶ ଯେ ବୌଦ୍ଧ ଭଳି ପଛୁଆ ଜିଲାର ବିକାଶ ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଗୁରୁତ୍ୱବହନ କରୁଥିବାବେଳେ ଏହାର ଉନ୍ନତିକରଣ ନିତ୍ୟାନ୍ତ ଆବଶ୍ୟକ ରହିଥିଲା। ଏହି ଦୃଷ୍ଟିକୌଣରୁ ଖୋର୍ଦ୍ଧା ଠାରୁ ନୟାଗଡ,ଦଶପଲ୍ଲା-ମାଧପୁର-ଚାରିଛକ-ପୁରୁଣାକଟକ-ବୌଦ୍ଧ ଦେଇ ବଲାଙ୍ଗିର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୫୭ନଂ ଜାତୀୟ ରାଜପଥର ଉନ୍ନତିକରଣ ଫଳରେ ଏସବୁ ଜିଲାର ବିକାଶ ମାନଚିତ୍ର ଅଧିକାଂଶରେ ପରିବର୍ତ୍ତନ ଘଟିଛି। ଜାତୀୟ ରାଜପଥର ସଂଯୋଗୀକରଣ ଯୋଗୁଁ ବହୁବର୍ଷଧରି ପଡିରହିଥିବା ପୁରୁଣା ରାସ୍ତାର ଦୋହରୀକରଣ କରାଯାଇ ପ୍ରଶସ୍ତ ରାସ୍ତା ନିର୍ମାଣ ଫଳରେ ଏହି ଜାତୀୟ ରାଜପଥର ଗୁରୁତ୍ୱ ବୃଦ୍ଧି ସାଙ୍ଗକୁ ବହୁସଂଖ୍ୟାରେ ଯାନବାହାନ ଚଳାଚଳ ମଧ୍ୟ ବୃଦ୍ଧି ପାଇଛି। ଜିଲାର ବିକାଶ ନିମନ୍ତେ ଯାତାୟତ ସୁବିଧା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଜାତୀୟ ରାଜପଥ ଉପରେ ରହିଥିବା ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁର, ଆଡେଣିଗଡ, ଚାରିଛକ, ପୁରୁଣାକଟକ ଭଳି ଜନଗହଳୀପୂର୍ଣ୍ଣ ବଜାର ଗୁଡିକର ଚାହିଦା ବେଶ ବୃଦ୍ଧିପାଇଛି। ପାଞ୍ଚ ବର୍ଷ ମଧ୍ୟରେ ଯାନବାହାନ ସଂଖ୍ୟା ଆଶାଠାରୁ ଅଧିକ ଯୋଗୁଁ ପ୍ରତିଦିନ ଜାତୀୟ ରାଜପଥରେ ଛୋଟବଡ ସଡକ ଦୁର୍ଘଟଣା ଘଟୁଥିବା ଦେଖାଇଯାଇଛି। ସେହି ଅନୁସାରେ ଚାରିଛକ, ପୁରୁଣାକଟକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ମତ ଓ ମନ୍ତବ୍ୟ
ସୁକାନ୍ତ ପଟ୍ଟନାୟକ:୫୭ନଂ ଜାତୀୟ ରାଜପଥର ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପ୍ରାକ୍ ସୂଚନା ଫଳକ କିମ୍ବା ସ୍ପିଡ୍‌ ବ୍ରେକର ନିର୍ମାଣ କରାଯାଉନାହିଁ। ଯାହାଫଳରେ ଦୁର୍ଘଟଣା ବୃଦ୍ଧି ପାଉଛି। ଅନ୍ୟପଟେ ଜାତୀୟ ରାଜପଥ ଡେଥ ଜୋନ ପ୍ରତି ନିଦାବିଷ୍ଣୁ ସାଜିବା ବର୍ତ୍ତମାନ ଏହା ପଥଚାରୀଙ୍କ ପାଇଁ ମରଣଯନ୍ତା ହୋଇଛି।
ସୁରେନ ପ୍ରଧାନ: ଦିନକୁ ଦିନ ଯାନବାହାନ ସଂଖ୍ୟା ବୃଦ୍ଧି ପାଉଛି। ସେହି ତୁଳନାରେ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଏବଂ ଚାରିଛକ ଭଳି ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଦୁର୍ଘଟଣାର ମୁଖ୍ୟ କାରଣ। ଏହା ସହିତ ବୁଲାଣୀ ରାସ୍ତାରେ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଦୁର୍ଘଟଣା ସମ୍ପର୍କିତ ପ୍ରାକ ସୂଚନା ଫଳକ କି ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉନଥିବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି।

Comments are closed.