ବାଲିଗୁଡା ଏସଡିପିଓଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବାହାର

ଫୁଲବାଣୀ: ଖବର ସଂଗ୍ରହ କରିବାକୁ ଯାଇ ବାଲିଗୁଡା ଏସଡିପିଓଙ୍କ ଦୁର୍ବ୍ୟବହାର ଏବଂ ଆକ୍ରମଣର ଶିକାର ହୋଇଛନ୍ତି ଫିରିଙ୍ଗିଆ ବ୍ଲକର ଦୁଇ ସାମ୍ବାଦିକ। ସେମାନେ ହେଲେ ଉତ୍ତମ କୁମାର ଖମାରୀ ଏବଂ ସୁବ୍ରତ କୁମାର ମହାନ୍ତି। ଖବର ପ୍ରସାରଣକୁ ବିରୋଧ କରିବା ଏବଂ ଆକ୍ରମଣ କରିବାକୁ ନେଇ ଜିଲାର ସାମ୍ବାଦିକ ମାନେ ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବାଲିଗୁଡା ଏସଡିପିଓ ନିଜର ଦୋଷ ତ୍ରୁଟି ଲୁଚାଇବାକୁ ଯାଇ କ. ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାକୁ ନେଇ କ. ନୂଆଗାଁ ଥାନାଧିକାରୀ କୌଣସି ତଦନ୍ତ ନ କରି ମାମଲା ରୁଜୁ କରିଛନ୍ତି। କିନ୍ତୁ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ଏହାକୁ ଗ୍ରହଣ କରିନାହିଁ। ଏହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତର ବେଙ୍ଗେସି ଗାଁରେ କିଛି ଲୋକ ପୋଲିସର ପରିଚୟ ଦେଇ ମରଣାସ୍ତ୍ର ଦେଖାଇ ଗଞ୍ଜେଇ ରେଡ କରୁଥୁବା ଖବର ପୋଲିସକୁ ମିଳିଥିଲା। ଥାନାରୁ ଖବର ପାଇ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଉତ୍ତମ ଓ ସୁବ୍ରତ ଖବର ସଂଗ୍ରହ କରିବା ପାଇଁ ତତକ୍ଷଣାତ ଘଟଣାସ୍ଥଳରେ ପହଂଚିଥିଲେ। ଏହାସହ ଫିରିଙ୍ଗିଆ ପୋଲିସର ଏକ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ। ଘଟଣାସ୍ଥଳରେ ପହଂଚିବା ପରେ ସାମ୍ବାଦିକ ଉତ୍ତମ ଓ ସୁବ୍ରତ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିବା ଆରମ୍ଭ କରିଥିଲେ। ଏହି ସମୟରେ ହଠାତ ଏକ ବୋଲେରୋ ଗାଡ଼ିରୁ ସାଧା ପୋଷାକରେ ଥିବା ଜଣେ ବ୍ୟକ୍ତି ଓହ୍ଲାଇ ନିଜକୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲ ବୋଲି ପରିଚୟ ଦେବା ସହ କାହା ଅନୁମତିରେ ଭିଡ଼ିଓ ଓ ଫଟୋ ଉଠାଉଛୁ କହି ପରିଚୟ ପତ୍ର ମାଗିଥିଲେ। ଉଭୟ ପରିଚୟ ପତ୍ର ଦେଖାଇ ଥିଲେ। ତଥାପି ମଧ୍ୟ୍ ଏସଡିପିଓ ରାହୁଲ ଗୋୟଲ ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେବା ସହ ମୋବାଇଲ ଓ ବୁମକୁ ଛଡେଇ ନେବାପାଇଁ ଚେଷ୍ଟା କରିଥିଲେ। ସେ ସାମ୍ବାଦିକ ଉତ୍ତମଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି।

Comments are closed.