ଭୁବନେଶ୍ବର: ରାଜ୍ୟରେ ଥିବା ଦୁଇଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ଯୋଗୁଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଚଲର ଅଫ ଇଣ୍ଡିଆନ ମେଡିସିନ ଆଣ୍ଡ ସର୍ଜରୀ ସ୍ନାତକ ଶିକ୍ଷା ଆସନ ସଂଖ୍ୟାକୁ ହ୍ରାସ କରିଛନ୍ତି। ଅନ୍ୟପକ୍ଷରେ ବେସରକାରୀ ମହାବିଦ୍ୟାଳୟରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ସେହିପରି ଏଲୋପାଥି କ୍ଷେତ୍ରରେ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଥିବା ବେଳେ ଆୟୁଷ କ୍ଷେତ୍ରରେ ତାହା ୧୭ ହଜାର ଟଙ୍କାରେ ସୀମିତ ରହିଛି।
କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ପୂର୍ବରୁ ୭୫ଟି ସ୍ନାତକ ଆସନ ଥିବାବେଳେ ଚଳିତ ବର୍ଷ ୫୩କୁ ଖସି ଆସିଛି। ସେହିପରି ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୭୫ ଆସନରୁ ୬୪କୁ ହ୍ରାସ କରାଯାଇଛି। ଏହାବ୍ୟତୀତ ବେସରକାରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ୩୦ରୁ ଆସନ ସଂଖ୍ୟା ୬୦କୁ ବୃଦ୍ଧି ହୋଇଛି ଏବଂ କଟକର ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ୧୦୦ ଆସନ ରହିଛି।
ତେବେ ସରକାରଙ୍କ ଉଦାସୀନତା ଯୋଗୁଁ ବହୁ ପୁରାତନ ବାରିପଦାର ମୟୂରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟ ବନ୍ଦ ହୋଇଯାଇଥିବା ବେଳେ ଓ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ମେମୋରିଆଲ ଆୟୁର୍ବେଦିକ ମହାବିଦ୍ୟାଳୟର ସ୍ଥିତିରେ ସୁଧାର ଆସୁନାହିଁ। ଅନ୍ୟପକ୍ଷରେ ୨୦୦୨ ପର ଠାରୁ ରାଜ୍ୟରେ ନୂତନ ଭାବେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଡିସ୍ପେନସାରି ସରକାର ଖୋଲି ନ ଥିବାବେଳେ ନୂଆ ନିଯୁକ୍ତି ମଧ୍ୟ ମିଳିନାହିଁ। ସ୍ନାତକୋତ୍ତର ଶିକ୍ଷା ପାଇଁ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୫ ବିଭାଗରେ ୧୯ଟି ଆସନ, ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟର ୨ ବିଭାଗରେ ୧୦ଟି ଆସନ ଓ ଚଳିତ ବର୍ଷ ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ୪ଟି ଆସନ ରହିଛି। ମାନବ ସମ୍ବଳ ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ବିଭିନ୍ନ ମହାବିଦ୍ୟାଳୟରୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସ୍ୱୀକୃତି ବାରମ୍ବାର ପ୍ରତ୍ୟାହାର କରୁଛି। ସେହିପରି ଡା.ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ, ରାଉରକେଲା ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ, ସମ୍ବଲପୁର ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପ୍ୟାଥି ଆଣ୍ଡ୍ ରିସର୍ଚ୍ଚ ଓ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପ୍ୟାଥି ଭେଷଜ ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉ ନ ଥିବା ଅଭିଯୋଗ ହୋଇଛି। ଏନେଇ ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା କହିଛନ୍ତି ରାଜ୍ୟ ସରକାର ଏଭଳି ଉପେକ୍ଷା କଲେ ରାଜ୍ୟରେ ଆୟୁଷ ସେବା ପାଇବାରୁ ଲୋକ ବଞ୍ଚିତ ହେବେ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।



