ଜଳରେ ଖାଦ୍ୟ ଉତ୍ପାଦନ ପ୍ରଣାଳୀ ଉପରେ ଜ୍ଞାନ ବୃଦ୍ଧି ଏବଂ ଜୈବ-ଫ୍ଲୋକ୍ ମାଛ ଚାଷ ପ୍ରଯୁକ୍ତି ଭଳି ନୂତନ ଜ୍ଞାନକୌଶଳ ଗ୍ରହଣ

ଜଳବାୟୁ ସହନଶୀଳ କୃଷି ଓ ମତ୍ସ୍ୟ ଚାଷ ପାଇଁ ୱାର୍ଲ୍ଡଫିସ୍ ସହିତ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାରେ କୃଷି ଓ ମତ୍ସ୍ୟଚାଷ ପ୍ରଣାଳୀକୁ ସହାୟତା କରିବା ପାଇଁ ଓଡ଼ିଶା ସମନ୍ୱିତ ଜଳବାୟୁ ସହନଶୀଳ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆରଏ), ମତ୍ସ୍ୟ ନିର୍ଦେଶାଳୟ ଏବଂ ୱାର୍ଡଫିସ୍ ମଧ୍ୟରେ ଗୁରୁବାର ଏକ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି । ରାଜ୍ୟ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶା ମତ୍ସ୍ୟ ବିଭାଗ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଓଆଇଆଇପିସିଆରଏର ନିର୍ଦେଶକ ରଶ୍ମିରଂଜନ ନାୟକ ଏବଂ ୱାର୍ଡଫିସ, ଇଣ୍ଡିଆର ଟିମ୍ ମୁଖ୍ୟ ଅରୁଣ ପଢିୟାର ଏହି ରାଜିମାନା ପତ୍ରରେ ସ୍ୱାକ୍ଷର କରିଥିଲେ।

ଜଳବାୟୁ ସହନଶୀଳ କୃଷି ଉତ୍ପାଦନକୁ ବ୍ୟାପକ ଓ ଫସଲ ବିବିଧିକରଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ସୋସାଇଟି (ଓସିଟିଡିଏମଏସ) ଜରିଆରେ ବିଶ୍ୱ ବ୍ୟାଙ୍କ ସହାୟତାରେ ରାଜ୍ୟର ୧୫ଟି ଜିଲାରେ ଜଳବାୟୁ ସହନଶୀଳ କୃଷି ପାଇଁ ରାଜ୍ୟ ଜଳସଂପଦ ବିଭାଗ ତରଫରୁ ସ୍ୱତନ୍ତ୍ର ଅଭିଯାନ କାର୍ୟ୍ୟକ୍ରମ ଓଆଇଆଇପିସିଆରଏ କାର୍ୟ୍ୟକାରୀ କରାଯାଉଛି । ଜଳସେଚନ ଏବଂ ଜଳ ଉତ୍ପାଦକତା କ୍ଷେତ୍ରରେ ଉନ୍ନତି ଆଣିବା,ସଂସ୍ଥାଗତ ଦକ୍ଷତା ସୁଦୃଢ଼ୀକରଣ ଓ ପ୍ରକଳ୍ପ ପରିଚାଳନା ନିମନ୍ତେ ଏହି ପ୍ରକଳ୍ପ ଉଦ୍ଦିଷ୍ଟ। ୫୩୮ଟି ଟାଙ୍କି ଜରିଆରେ ଜଳ, କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରକୁ ସମନ୍ୱିତ ପୂର୍ବକ ଜଳସେଚନ ସେବାରେ ଗୁଣାତ୍ମକମାନ ବୃଦ୍ଧି କରି କୃଷକମାନଙ୍କୁ ଉପକୃତ କରିବା, ହାରାହାରି ଅମଳ ବୃଦ୍ଧି, ବଜାରଯୋଗ୍ୟ ଉତ୍ପାଦନ, ବିବିଧ ଆୟ ଏବଂ ଜଳବାୟୁ ସ୍ଥିରତା ବଜାୟ ରଖିବାରେ ଏହି ପ୍ରକଳ୍ପ ସହାୟକ ହେବ।

prayash

ମତ୍ସ୍ୟ ଚାଷ କ୍ଷେତ୍ରରେ କ୍ଷୁଦ୍ରଚାଷୀଙ୍କ ଦକ୍ଷତା ବୃଦ୍ଧି ଏବଂ ବିବିଧ କୃଷିଭିତ୍ତିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ୨୬୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜଳବାୟୁ ସହନଶୀଳ କୃଷି ଓ ମତ୍ସ୍ୟଚାଷ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଉଛି। ଜଳରେ ଖାଦ୍ୟ ଉତ୍ପାଦନ ପ୍ରଣାଳୀ ଉପରେ ଜ୍ଞାନ ବୃଦ୍ଧି ଏବଂ ଜୈବ-ଫ୍ଲୋକ୍ ମାଛ ଚାଷ ପ୍ରଯୁକ୍ତି ଭଳି ନୂତନ ଜ୍ଞାନକୌଶଳ ଗ୍ରହଣ କରି ଗୋଷ୍ଠୀଭିତ୍ତିକ ସଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା ଓ ପ୍ରୋତ୍ସାହିତ କରିବା ପାଇଁ ଅଂଶୀଦାରମାନଙ୍କ ଦକ୍ଷତା ବୃଦ୍ଧିରେ ଏହି ପ୍ରକଳ୍ପ ସହାୟକ ହୋଇଛି। ସ୍ଥାନୀୟ ସ୍ତରରେ ଉପଲବ୍ଧ ମାଛ ଖାଦ୍ୟ ବ୍ୟବହାର କରି କୃଷକମାନଙ୍କ ଦ୍ୱାରା ସପ୍ଲିମେଣ୍ଟାରୀ ଫିଡିଂକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ ସଂଗଠନଗୁଡ଼ିକୁ କ୍ଷୁଦ୍ର ଖାଦ୍ୟ ମିଶ୍ରଣ ଏବଂ ପେଲେଟାଇଜର ପ୍ଲାଣ୍ଟ ଯୋଗାଇ ଦିଆଯାଇଥିବାରୁ କୃଷକ ସମୁଦାୟ ଦ୍ୱାରା ଗୁଣାତ୍ମକ ଚିଙ୍ଗୁଡ଼ି ଉତ୍ପାଦନ ପାଇଁ ମଧୁର ଜଳ ଚିଙ୍ଗୁଡ଼ି ନର୍ସରୀ ପ୍ରଦର୍ଶନ ସମ୍ଭବ ହୋଇପାରିଛି। ଏଥିସହିତ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଜଳର ଗୁଣବତ୍ତା ଓ ମାନଦଣ୍ଡ ଅନୁଧ୍ୟାନ କରିବା ପାଇଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକରେ ମାଛ ଚାଷରେ ନିୟୋଜିତ କୃଷକମାନଙ୍କୁ ଜଳ ପରୀକ୍ଷା କିଟ୍, ବ୍ୟକ୍ତିଗତ ଟାଙ୍କି ଏବଂ ବାୟୋ-ଫ୍ଲୋକ୍ ଯୋଗାଇ ଦିଆଯାଇଛି। ମାଛ ଚାଷୀଙ୍କୁ ମାଛ ଅମଳ ପାଇଁ ଡ୍ରାଗ ଜାଲ ଏବଂ ଅମଳ ପରବର୍ତ୍ତୀ ମାର୍କେଟିଂ ଭିତ୍ତିଭୂମି ଯଥା ତିନି ଚକିଆ ଓ ଚାରି ଚକିଆ ଯାନ ସହିତ ଆଇସ୍ ବକ୍ସ ଯୋଗାଇ ଦିଆଯାଉଛି।

ଏହି ରାଜିନାମା ପତ୍ର ସ୍ୱାକ୍ଷର, ଓଆଇଆଇପିସିଆରଏ ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ୟ୍ୟକାରିତାରେ ଉତ୍ତମ ଅଭ୍ୟାସକୁ ସହାୟତା କରିବାରେ ପ୍ରୋତ୍ସାହିତ କରିବ । ଏହା ଓଆଇଆଇପିସିଆରଏ ଆପ୍ଲିକେସନ୍ ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ନିଷ୍ପତ୍ତି ଓ ସମର୍ଥନ ବ୍ୟବସ୍ଥାକୁ ସମନ୍ୱିତ କରି ରିଅଲ ଟାଇମ୍ ଟ୍ରାକିଂ ସମେତ କାର୍ଯ୍ୟକ୍ରମଗୁଡିକର ତଦାରଖ ଏବଂ ମୂଲ୍ୟାଙ୍କନ କରିବା, ଅଂଶୀଦାରମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ କର୍ମଶାଳା ଆୟୋଜନ କରିବା, ବିଭିନ୍ନ ଶିକ୍ଷା, ସୂଚନା ଓ ଯୋଗାଯୋଗ ସାମଗ୍ରୀ ଯଥା ପ୍ରଶିକ୍ଷଣ ମାନୁଆଲ, ପ୍ରଚାରପତ୍ର, ପୋଷ୍ଟର, ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ଯୋଜନା ଏବଂ କାର୍ୟ୍ୟକ୍ରମ ପାଇଁ ଭିଡିଓ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିବାରେ ସହାୟକ ହେବ। ପ୍ରକଳ୍ପ କାର୍ୟ୍ୟକାରିତା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା, ଅଧିକ ଜ୍ଞାନ ଆହରଣ ପାଇଁ କ୍ଷେତ୍ର ପରିଦର୍ଶନ କରିବା ସହ ସମସ୍ତ ଡିଏଫ୍ଓ, ମତ୍ସ୍ୟ ଅଧିକାରୀ, ଏସ୍ଓ, ୟୁଏନଡିପି, ଡିପିଏମ୍ ଆଦିଙ୍କୁ ସାମିଲ କରି ପ୍ରକଳ୍ପରେ ଜଳ-ଚାଷ ଉପ-ଉପାଦାନର ସମୀକ୍ଷା କରିବାରେ ଏହା ମଧ୍ୟ ସହାୟକ ହେବ । ଏଥିରେ ନିୟମିତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଫସଲ ଫଳାଫଳ ସର୍ବେକ୍ଷଣ କରି ଯୋଜନା ମାଧ୍ୟମରେ ପ୍ରକଳ୍ପ କାର୍ୟ୍ୟକାରିତାର ଆକଳନ କରାଯିବ।

କାର୍ଯ୍ୟକ୍ରମରେ ଓଆଇଆଇପିସିଆରଏର ଏପିଡି ଶ୍ରୀ ସରୋଜକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଓଆଇଆଇପିସିଆରଏ ସମେତ ରାଜ୍ୟ ଜଳ ସଂପଦ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସମେତ ୱାର୍ଲ୍ଡ ଫିସ୍ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Comments are closed.