ପରୀକ୍ଷା କେନ୍ଦ୍ର ବାହାରକୁ ଖାତା ଆଣିବା ପ୍ରସଙ୍ଗ – କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ନିଲମ୍ବିତ

କେଶଦୁରାପାଳ: କେନ୍ଦୁଝର ଜିଲ୍ଲା ଶାଳପଡ଼ା ସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଆଜି କଲେଜ ପରିଚାଳନା କମିଟି ସଭାପତି ଦିଲୀପ ଦାସ ଶ୍ରୀ ମହାନ୍ତିଙ୍କ ନିଲମ୍ବନ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଏବଂ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସୁପାରିସ କ୍ରମେ କଲେଜ ପରିଚାଳନା କମିଟି ଏହି ନିଷ୍ପତି ନେଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଖୋଲିଥିବା ବେଳେ ସେଠାରୁ ଶ୍ରୀ ମହାନ୍ତି ପରୀକ୍ଷା ଖାତା କେନ୍ଦ୍ର ବାହାରକୁ ଆଣିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ତଦନ୍ତ ପରେ ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଶ୍ରୀ ମହାନ୍ତିଙ୍କ ସମେତ ଖାତା ଦେଖାରେ ନିୟୋଜିତ ଥିବା ତାଙ୍କ ଝିଅ ତଥା କନକ ମଞ୍ଜରୀ କଲେଜର କାଜଲ ମହାନ୍ତି ଓ ସାଇଁକୁଳ ପତିତପାବନ କଲେଜର ଦେବସ୍ମିତା ଜେନା ପାଟ୍ଟଶାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖାତା ଦେଖା ପ୍ରକ୍ରିୟାରୁ ବାଦ ଦେଇଥିଲେ। ତେବେ ଶ୍ରୀ ମହାନ୍ତି କନକ ମଞ୍ଜରୀ କଲେଜ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇ ଆସୁଥିବା ବେଳେ କିଭଳି ପରୀକ୍ଷା ଓ ଅନ୍ୟାନ୍ୟ ପରିଚାଳନା ଦାୟିତ୍ୱରେ ରହିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଶେଷରେ ଆଜି ବିଧିବଦ୍ଧ ଭାବେ ଉଚ୍ଚ ପଦାଧିକାରୀଙ୍କ ନିର୍ଦେଶ କ୍ରମେ କଲେଜ ପରିଚାଳନା କମିଟି ସଭାପତି ଶ୍ରୀ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି।

ଗତ ମାସକ ମଧ୍ୟରେ କନକ ମଞ୍ଜରୀ କଲେଜରେ ଫି ବୃଦ୍ଧି, ମହିଳା ହଷ୍ଟେଲରେ ପୁରୁଷଙ୍କ ଅବାଧ ପ୍ରବେଶ ଓ ହଷ୍ଟେଲ ଛାତ୍ରୀ ବାରମ୍ବାର ଅସୁସ୍ଥ ହେବା ଘଟଣାରେ ମଧ୍ୟ କଲେଜ କର୍ତୃପକ୍ଷଙ୍କ ଭୂମିକାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଥିଲା।

Comments are closed.