ଦେବଗଡ଼଼: ଗ୍ରାମାଂଚଳର ଉନ୍ନତି ତଥା ଗ୍ରାମ୍ୟ ସଂଯୋଗିକରଣ ନିମନ୍ତେ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଠ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଏଗୁଡିକର ସୁଫଳ ପାଇବାରୁ ଗ୍ରାମାଂଚଳର ଲୋକେ ବଞ୍ଚିତ ହେଉଛନ୍ତି। ଏହି କ୍ରମରେ ଦେବଗଡ଼ ଜିଲ୍ଲାର ସବୁଠାରୁ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକ ଲଇମୁରା ଗ୍ରାମ ପଂଚାୟତରେ ଆର୍.ଡି.(ଗ୍ରାମ୍ୟ ନିର୍ମାଣ) ବିଭାଗ ପକ୍ଷରୁ ପ୍ରାୟ ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ ପାଣିଭଣ୍ଡାର-କନ୍ଦର୍ପ (୩.୧୦୦କି.ମି.) ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ତେବେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କେତେ ଯେ,ନିମ୍ନମାନର ହୋଇପାରେ ତାହା ସ୍ୱଚକ୍ଷୁରେ ନଦେଖିଲେ ସହଜରେ ବିଶ୍ୱାସ କରିହେବ ନାହିଁ। ଅଂଚଳ ବାସୀଙ୍କ ଅଭିଯୋଗ ଅନୁଯାୟୀ ନିର୍ମାଣ ସମୟରେ ଏହି ରାସ୍ତାର ସ୍ଥାୟୀତ୍ୱ ପ୍ରତି ଗ୍ରାମ୍ୟ ନିର୍ମଣ ବିଭାଗ ପକ୍ଷରୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ।
ରାସ୍ତାରେ ବ୍ୟୟ ଅଟକଳ ଅନୁଯାୟୀ ପିଚୁ ବ୍ୟବହାର କରାନଯାଇ ଅଧିକ ଲାଭ ନିମନ୍ତେ କମ୍ ପରିମାଣର ପିଚୁ ବ୍ୟବହାର କରାଯାଉଛି। ସେହିପରି ରାସ୍ତାରେ ଯେତିକି ମୋଟେଇର ପିଚୁ ବୋଳା ଚିପ୍ସ/ବଜରିର ମିଶ୍ରଣ ବିଛାଯିବା କଥା ତାହା ନକରି କମ ମୋଟେଇର ବିଛାଯାଉଛି। ପୂର୍ବରୁ ସୃଷ୍ଟି ହୋଇଥିବା ଖାଲ/ଗର୍ତ ମାନଙ୍କରେ ଭଲଭାବେ ପ୍ୟାଚ୍ ମରାନଯାଇ ଏହା ଉପରେ ପିଚୁ ଓ ଚିପ୍ସ/ବଜରିର ମିଶ୍ରଣ ବିଛାଯାଉଛି। ଏଭଳି ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମଣର ୪୮ଘଂଟା ନପୁରୁଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେଉଛି। ଭଲ ଭାବେ ରୋଲିଂ କରାଯାନଥିବାରୁ ରାସ୍ତାଟି ଚିକ୍କଣ ନହୋଇ ଆବୁଡା ଖାବୁଡା ହୋଇ ପଡ଼ିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ରାସ୍ତାରେ ଆବଶ୍ୟକତା ଠାରୁ କମ୍ ମୋଟେଇର ପିଚୁବୋଳା ଚିପ୍ସ ଓ ବଜରୀ ବିଛାଯାଇଥିବାରୁ ବିଭିନ୍ନ ସ୍ଥାନରେ ଘାସ ମଧ୍ୟ କଅଁଳିବାରେ ଲାଗିଛି। ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ଅଂଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ଅଂଚଳବାସୀ ଏକାଧିକବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିବା ପରିବର୍ତ୍ତେ ନିର୍ମାଣକାରୀ ସଂସ୍ଥା ଦ୍ୱାରା ପୂର୍ବବତ୍ ନିମ୍ନମାନର କାର୍ଯ୍ୟ ଜାରୀ ରହିଛି। ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ନିର୍ମାଣକାରୀ ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଏଭଳି ଅନିୟମିତତା ଓ ଯନ୍ତ୍ରୀ ମାନଙ୍କ ଅନୁପସ୍ଥିତିରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବା ଉଭୟ ପାଣିଭଣ୍ଡାର ଓ କନ୍ଦର୍ପ ଗ୍ରାମବାସୀ ଅଭିଯୋଗ କିଛନ୍ତି। ଏଭଳି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଞ୍ଜନ ଚାରଡିଆ ଓ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ସୋରେନଙ୍କୁୁ ପଚାରିବାରୁ ଅଂଚଳବାସୀ ଏନେଇ ଅଭିଯୋଗ କରିଥିବା ସ୍ୱୀକାର କରିଛନ୍ତି। ଏଥିସହ ଓଭର ହିଟ୍ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା ଦର୍ଶାଇ ଏହାର ମରାମତି ପାଇଁ ନିର୍ମାଣ କାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ଉତ୍ତର ଦେଇଛନ୍ତି। ତେବେ ସେ ଯାହା ହେଉନା କାହିଁକି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ସଠିକ ମାନର ନିର୍ମଣ କର୍ଯ୍ୟ କରିବାକୁ ସାଧାରଣରେ ଦାବୀ ହେଉଛି। ତେବେ ସମ୍ପୃକ୍ତ ବିଭାଗ ପ୍ରତି ଅଂଚଳବାସୀଙ୍କ ଭରସା ତୁଟି ଯାଇଥିବାରୁ ସେମାନେ ଏ ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି।



