ସମାଜ ଡିଜିଟାଲ ଡେସ୍କ: ଆଜି ଲୋକସଭା ଓ ରାଜ୍ୟସଭାରେ ପୁଣି ଥରେ ଅପରେସନ ସିନ୍ଦୂର ନେଇ ବିତର୍କ ହୋଇଛି । ସୋମବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡା ଜବାବ ଦେଇ ଅପରେସନ ସିନ୍ଦୂର ସମ୍ପର୍କରେ ବିସ୍ତୁତ ତଥ୍ୟ ରଖିଥିଲେ । ପହଲଗାଓଁ ଆକ୍ରମଣରେ ସାମିଲ ଥିବା ତିନି ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଗୃହମନ୍ତ୍ରୀ କହିଛନ୍ତି ।
ବିରୋଧୀଙ୍କୁ ଜବାବ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ହୋଇଥିଲା । କୌଣସି ସାଧାରଣ ନାଗରିକ ଶିବିରିକୁ ଟାର୍ଗେଟ କରାଯାଇନଥିଲା । ପୂର୍ବରୁ ପିଓକେ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହା ଏକ ପ୍ରକାର ଆମେ ଭାରତ ଭିତରେ ଆକ୍ରମଣ କରିଥିଲୁ କାରଣ ପିଓକେ ଆମର । ଏଥର ପିଓକେରୁ ୧୦୦କିଲୋମିଟର ଭିତରକୁ ପଶି ଆତଙ୍କବାଦୀଙ୍କୁ ମାରିଥିଲୁ । ଶାହ କହିଛନ୍ତି ଯେ ଗତକାଲି ବିରୋଧୀ ପ୍ରଶ୍ନ ଉଠାଇଥିଲେ ଯେ କାହିଁକି ଯୁଦ୍ଧ ଆଗକୁ ବଢିଲା ନାହିଁ, ହଠାତ୍ ବନ୍ଦ ହୋଇଗଲା? । ଆଜି ପିଓକେ କେବଳ ଜବାହରଲାଲ ନେହେରୁଙ୍କ କାରଣରୁ ଅସ୍ତିତ୍ୱରେ ଅଛି । ୧୯୬୦ରେ ସେମାନେ ସିନ୍ଧୁ ନଦୀର ୮୦ଧ ଜଳ ପାକିସ୍ତାନକୁ ଦେଇ ଦେଇଥିଲେ । ୧୯୭୧ରେ ସିମଲା ଚୁକ୍ତି ସମୟରେ ସେମାନେ(କଂଗ୍ରେସ) ପିଓକେ ବିଷୟରେ ଭୁଲିଗଲେ । ଯଦି ସେତେବେଳେ ପିଓକେ ନେଇଥାନ୍ତେ, ତେବେ ଆଜି ଆମକୁ ସେଠାରେ ଥିବା କ୍ୟାମ୍ପଗୁଡିକ ଉପରେ ଆକ୍ରମଣ କରିବାକୁ ପଡିନଥାନ୍ତା ।
୧୯୪୮ରେ କାଶ୍ମୀରରେ ଆମର ସେନାର ପ୍ରାଧାନ୍ୟ ଥିଲା । ସର୍ଦ୍ଦାର ପଟେଲ ସବୁବେଳେ ଆମକୁ ଆଗକୁ ବଢିବାକୁ ଅନୁରୋଧ କରୁଥିଲେ, କିନ୍ତୁ ଜବାହରଲାଲ ନେହେରୁ ଏକପାଖିଆ ଯୁଦ୍ଧବିରତି ଘୋଷଣା କରିଥିଲେ । ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱର ସହିତ କହୁଛି ଯେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ହେଉଛି ନେହେରୁଙ୍କ ଐତିହ୍ୟ । କେବଳ ଏତିକି ନୁହେଁ, ସିନ୍ଧୁ ଜଳ ଚୁକ୍ତିନାମାରେ ନେହେରୁ ଭାରତର ୮୦ପ୍ରତିଶତ ନଦୀର ଜଳ ପାକିସ୍ତାନକୁ ହସ୍ତାନ୍ତର କରିଥିଲେ ।
ଶାହ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନିଜକୁ ପ୍ରାୟତଃ ଆତଙ୍କବାଦର ଶିକାର ହେଉଥିବା କହିଆସିଛି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କେତେକ ସମୟରେ ଏହାକୁ ଦୋହରାଇଛନ୍ତି । କିନ୍ତୁ ଯେତେବେଳେ ସେମାନଙ୍କର ସେନା ଆତଙ୍କବାଦୀଙ୍କ ଶେଷଯାତ୍ରାରେ ସାମିଲ ହୋଇଥାଏ ସେତେବେଳେ ସତ୍ୟ କଣ ବାହାରକୁ ଆସିଯାଏ । ଅପରେସନ ସିନ୍ଦୂର ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନର ଅସଲ ମୁହଁ ଖୋଲିଛି । ସେମାନଙ୍କର ବ୍ୟବସ୍ଥା କେତେ ପରିମାଣରେ ଆତଙ୍କବାଦୀଙ୍କ ସହ ଜଡିତ ତାହା ପ୍ରମାଣ ହୋଇଛି ।
ନେହେରୁଙ୍କ ପାଇଁ ‘pok’ କଂଗ୍ରେସ ଉପରେ ଲୋକସଭାରେ ବର୍ଷିଲେ ଶାହ
Popular Categories



