ବାଲିଘାଟରୁ ତେଜୁଛି ବିବାଦ, ୧୧ ଅଟକ

କେଶଦୁରାପାଳ: ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଆଜି ସେହି ଗ୍ରାମର ପାର୍ବତୀ ଜେନା ନାମକ ଜଣେ ମହିଳାଙ୍କ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ମହିଳା ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ଜାରି କରି, ଗତ ଦୁଇ ଦିନ ହେବ ଶାସକ ଦଳର କିଛି ସମର୍ଥକ ତାଙ୍କୁ ଓ ତାଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାରିବାକୁ ଧମକ ଦେଉଥିବା କହିଛନ୍ତି। ସେହିପରି ମହିଳାଙ୍କ ସଂପର୍କୀୟ ପ୍ରକାଶ ବଳ ଘଷିପୁରା ଥାନାରେ ଏତଲା ଦେଇଛନ୍ତି। ଶାସକ ବିଜେଡି ଦଳର ସମର୍ଥକ ମାନେ ତାଙ୍କ ପରିବାରକୁ ଭୟଭୀତ କରାଇବା ସହ ହତ୍ୟା ଧମକ ଦେଉଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏତଲା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଗାଁରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିବା ସହ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବା ଏସଡିପିଓ ପ୍ରଶାନ୍ତ ବେହେରା କହିଛନ୍ତି। ଅପରପକ୍ଷେ ଉତ୍ତେଜନାର କାରଣ ଅସ୍ପଷ୍ଟ ଥିବା ବେଳେ ବାଲିଘାଟକୁ କେନ୍ଦ୍ର କରି ଏଭଳି ପରିସ୍ଥିତି ଉପୁଜିଥିବା ସନ୍ଦେହ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଚୋରା ଚାଲାଣ ରୋକିବାରେ ପ୍ରଶାସନ ସଫଳ ହୋଇ ନଥିଲା। ତେବେ ବାଲି ଚାଲାଣ କରୁଥିବା ଗୋଷ୍ଠୀ ଦୁଇ ଭାଗ ହେବା ପରେ କିଛି ଦିନ ହେବ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଏବେ ଏମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ ହତ୍ୟା ଧମକକୁ ନେଇ ଉଭୟ ପକ୍ଷରୁ ଘଷିପୁରା ଥାନାରେ ଏତାଲା ଦେଇଥିଲେ ଓ ଏହାକୁ ଆଧାର କରି ଘଷିପୁରା ପୁଲିସ୍ ରାଜୀବ ଲୋଚନ ଜେନା, ପ୍ରେମାନନ୍ଦ ପାଣିଗ୍ରାହୀ, ସଞ୍ଜୀବ ଜେନା, ଚିଙ୍କୁ ଦାସ, ବ୍ରଜକିଶୋର ବଳ, ରଞ୍ଜନ ବଳ, ସନ୍ତୋଷ ବଳ, ସିପୁ ରାଉତ ପ୍ରମୁଖ ୧୧ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.