ରେଙ୍ଗାଲିକ୍ୟାମ୍ପ: ପଶ୍ଚିମ ଓଡ଼ିଶାର ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକ ଅଖ୍ୟାତ ନାମା ପଲ୍ଲୀ ବରପାଲିରେ ୧୮୬୨ ମସିହାରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଦିନ ଦାରିଦ୍ର୍ୟ ରୂପକ ପଙ୍କ ପରିପୂର୍ଣ୍ଣ ଜୀବନ ସରୋବରରେ ଶୁଭ୍ର ପଦ୍ମ ପୁଷ୍ପ ପରି କୋଟି ଇନ୍ଦୁର ଜୋସ୍ନା ନେଇ ପ୍ରସ୍ଫୁଟିତ ହୋଇ ଥିଲେ ରଙ୍ଗା ଜୀବ କବି ଗଙ୍ଗାଧର ମେହେର। ଅନ୍ଧକାର ଭିତରେ ଉତ୍କଳର ସାମ୍ରାଜ୍ୟ ରକ୍ଷା ପାଇଁ ରାଜା ମହାରାଜ, ସାମନ୍ତ, ଜମିଦାର ଓ ପାଇକ ମାନଙ୍କ ବିପୁଳ ଆୟୋଜନ ଓ କୁଶଳ କୃପାଣ ପରିଚାଳନା ବଳରେ ଯେଉଁ ରାଜନୈତିକ ସ୍ଵାଧୀନତା ରକ୍ଷା ସମ୍ଭବ ହୋଇପାରିନଥିଲା ତାହା କେବଳ ସମ୍ଭବ ହୋଇ ପାରିଥିଲା ଭାଷା ଓ ସଂସ୍କୃତି ଭିତ୍ତିରେ ମୁଷ୍ଟିମେୟ ଦରିଦ୍ର କବି, ଲେଖକ ଓ ସାମ୍ବାଦିକଙ୍କ ଅବିରତ ଲେଖନୀ ଚାଳନା ଦ୍ଵାରା ଏହା ହିଁ ହେଉଛି ଲେଖକର ଅପରୀମେୟ ଅଦ୍ଭୁତ ଶକ୍ତି। ଯାହାକୁ ପାଥେୟ କରି ମୁଣ୍ଡ ଟେକି ଉଠେ ସାମାଜିକ ଓ ରାଜନୈତିକ ଜାଗରଣ। ସେଇ ମୁଷ୍ଟିମେୟ କବି ମାନଙ୍କ ମଧ୍ୟରେ ଅନ୍ୟତମ କାଳଜୟୀ କବି ଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର। ଯାହାଙ୍କର କଲମ ମୁନରେ ଫୁଟି ଉଠିଥିଲା ସାମାଜିକ ଓ ଜାତୀୟତାର ଭାବଧାରା, ମାତୃଭୂମି ଓ ମାତୃଭାଷାକୁ ଭଲପାଇବା ତାର ସମ୍ମାନ ରକ୍ଷାକରିବାର ଉତ୍ତୁଙ୍ଗତା। ସେଇ କାଳଜୟୀ କବିଙ୍କର ୧୬୧ ତମ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି ଅତାବିରାର ପ୍ରତି ଶିକ୍ଷାନୁଷ୍ଠାନ, ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ। ତାଙ୍କର କାଳଜୟୀ ରଚନାକୁ ଆଦୃତ କରି ଦେଶର ଭବିଷ୍ୟତ ନାଗରିକ କୁହାଯାଉଥିବା ଛlତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ଜାତୀୟତା ଭାବ ପ୍ରତି ଆଗ୍ରହ ଓ ସମ୍ମାନ ସୃଷ୍ଟି କରିବା ତଥା କାଳଜୟୀ ସ୍ରଷ୍ଟାଙ୍କ ସୃଷ୍ଟିକୁ ଜନମlନସରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ପ୍ରତି ବିଦ୍ୟାଳୟ ମାନଙ୍କରେ ‘ବିଶ୍ଵ ଜୀବନ ହେ, ବିଶ୍ଵ ଦେଖ ମଧୁମୟ, ମଂଗଲେ ଅଇଲା ଉଷା ଓ ଜନ୍ମଦାତ୍ରୀ ମାତୃଭୂମି’ ଆଦି ଗୀତ ଗୁଡ଼ିକ ସମବେତ ଭାବରେ ଗାନ କରାଯାଇଥିଲା। ତାଙ୍କରି ଜୀବନୀ ଉପରେ ଆଲୋଚନା କରାଯାଇଥିଲା। କବିଙ୍କ ମନରେ ଥିବା ଦାର୍ଶନିକ ଚିନ୍ତାଧାରା କିପରି ସମାଜ ସୁଧାରକ ଥିଲା ସେହି ଉପରେ ଆଲୋଚନା କରି ଆଲୋଚକ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଥିଲେ ଯେ କବି ଆଞ୍ଚଳିକ ବୈଷମ୍ୟ ଠାରୁ ବହୁ ଉର୍ଦ୍ଧ୍ବରେ ଥିଲେ।
Popular Categories



