ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ତହସିଲର ବଡପଥରା ରାଜସ୍ବ ନୀରିକ୍ଷକ (ଆରଆଇ)ଙ୍କୁ ପଥର ମାଫିଆଙ୍କ ମିଳିତ ଆକ୍ରମଣ ଘଟଣାରେ ଫେରାର ପ୍ରମୁଖ ଅଭିଯୁକ୍ତ ମାନଙ୍କ ଗିରଫଦାରୀ ଯେତିକି ବିଳମ୍ବ ହେଉଛି ପ୍ରଶାସନ ପାଇଁ ସେତିକି ଅଡ଼ୁଆ ବଡୁଛି। ଗୋଟିଏ ପଟେ ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ ନକଲେ ଜିଲା ରାଜସ୍ୱ କର୍ମଚାରୀ ସଂଘର ଗୁରୁବାର ଠାରୁ କଲମ ଛାଡ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିବା ବେଳେ ଅନ୍ୟ ପଟେ କପ୍ତିପଦା ଉପଖଣ୍ଡର ଚାରି ଗୋଟି ତହସିଲର ତହସିଲଦାର ଓ ଅତିରିକ୍ତ ତହସିଲଦାର ମାନେ ଏକ ପତ୍ରରେ ନିଜର ଉଦବେଗ ଜଣାଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡିବା ଘଟଣା ପରୋକ୍ଷରେ ଆଇନ ଶୃଙ୍ଖଳାର ସ୍ଥିତି ପ୍ରତି ଏକ ଇଙ୍ଗିତ ବୋଲି କହିହେବ। ସେମାନେ ଅନୁରୋଧ ପତ୍ରରେ ପୁଲିସର ସହଯୋଗ ଆଶାନୁରୂପକ ନଥିବା ଉଲେଖ କରିଛନ୍ତି।
୧୪୪ ଧାରା ଜାରି ସ୍ଥାନରେ ୫ ତାରିଖ କାର୍ଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଥିବା ଆରଆଇ ଦୟା ନିଧି ରାଉତଙ୍କ ଉପରେ ପୁଲିସ ପହଞ୍ଚିଲା ବେଳକୁ ଆକ୍ରମଣ ହୋଇ ସାରିଥିଲା। ପରିବେଶ ସ୍ପର୍ଶ କାତାର ଅଞ୍ଚଳରେ ସେଦିନ ଭୋର ସମୟରେ ବେଆଇନ ବ୍ଲାଷ୍ଟିଂ ପରେ ପଥର ଚାଲାଣ କରାଯାଉଥିବା ଖବର ପାଇ ବଡପଥରା ଆରଆଇ ଦୟାନିଧି ରାଉତ ଏନ୍ଫୋର୍ସମେଣ୍ଟ ପାଇଁ ଖୁଣ୍ଟା ତହସିଲଦାର ଅଙ୍କୁର ଅଭିଳାଷଙ୍କୁ ଜଣାଇଥିଲେ। ତହସିଲଦାର ପହଞ୍ଚି ଯିବାରୁ ଆକ୍ରମଣକାରୀ ପଳାଇଥିଲେ। ଦୁଇ ସପ୍ତାହ ବିଳମ୍ବରେ ଜୁଲାଇ ୧୭ତାରିଖରୁ ୧୪୪ଧାରା ଜାରି ହୋଇଥିବା ବେଳେ ୧୮ ତାରିଖରେ ଠାବ ହୋଇଥିବା ବିଦେଶୀ ଅତ୍ୟାଧୁନିକ ମୂଲ୍ୟବାନ କମ୍ପ୍ରେସର ମେସିନ ତହିଁ ପରଦିନ ଗାଏବ ହୋଇଯିବା ପରେ ୨୨ ଦିନ ପରେ ଆତ୍ମସମର୍ପଣ କରିଥିବା ଜଣେ ଅଭିଯୁକ୍ତଙ୍କ ଘର ପରିସରରୁ ମଙ୍ଗଳବାର ଜବତ ହୋଇଛି। ଉକ୍ତ ବ୍ୟବଧାନରେ ମାଫିଆ ମାନେ ନିଜର ବ୍ଲାଷ୍ଟିଂ ଓ ପଥର ଚାଲାଣ ପାଇଁ ସୁଯୋଗ ପାଇଥିଲେ। ପ୍ରାରମ୍ଭରୁ କମ୍ପ୍ରେସର ମେସିନ ଜବତ ହୋଇଥିଲେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଯାଏ କଥା ଯାଇନଥାନ୍ତା, ଯାହା ଘୋର ଚିନ୍ତା ଜନକ ଘଟଣା। ଅଧିକାରୀମାନେ ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହିତ ଶିମିଳିପାଳ ପାଦଦେଶର ଖୁଣ୍ଟା, ଗୋପବନ୍ଧୁନଗର, କପ୍ତିପଦା ଓ ଉଦଳା ତହସିଲର ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବାକୁ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ ପତ୍ରରେ ନିବେଦନ କରିଛନ୍ତି। ନିବେଦନ ପତ୍ରର ନକଲ ୫-ଟି ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ, ଏସପି ଓ କପ୍ତିପଦା ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଅଦ୍ୟାବଧି ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ କୁଶଗଡିଆର ଚାନ୍ଦ୍ରାୟ ସୋରେନଙ୍କ ଘର ପରିସରରୁ ଗାଏବ ହୋଇଯାଇଥିବା ଅତ୍ୟାଧୁନିକ ତଥା ମୂଲ୍ୟବାନ ବିଦେଶୀ କମ୍ପ୍ରେସର ମେସିନକୁ ଜବତ କରାଯାଇଛି। ମେସିନର ଚକ ଗୁଡିକ ଖୋଲି ନିଆଯାଇଥିବାରୁ ଜବତ ମେସିନକୁ ମଙ୍ଗଳବାର ଥାନାକୁ ସ୍ଥାନାନ୍ତର ହୋଇପାରିନଥିବା ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି। ପ୍ରକାଶ ଥାଉକି ଗତ ଦୁଇଦିନ ମଧ୍ୟରେ ଅଭିଯୁକ୍ତ ସରୋଜ ସାହୁଙ୍କ କ୍ରସରରେ ଚଢାଉ କରାଯାଇ ଏସ୍କାଭେଟର, ଟ୍ରାକ୍ଟର, ଡମ୍ଫର ଓ ଜେସିବି ଜବତ କରାଯାଇ ଥାନା ପରିସରରେ ରଖାଯାଇଛି। କ୍ରସର ମାଲିକ ଓ ତାଙ୍କ ସମ୍ପର୍କୀୟ ଅରବିନ୍ଦ ସାହୁଙ୍କ ସମେତ ୪ ଜଣ ଫେରାର ଅଛନ୍ତି।



