www.samajalive.in
Saturday, December 13, 2025
26.1 C
Bhubaneswar

୮ ମାସ ପରେ ସତ ମାନିଲା ବୈଦେଶିକ ମନ୍ତ୍ରାଳୟ, ବାଲିରେ ହୋଇଥିଲା ଜିନ୍‌ପିଙ୍ଗ-ମୋଦୀ ଆଲୋଚନା

ନୂଆଦିଲ୍ଲୀ: ଦୀର୍ଘ ୮ ମାସ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସତ୍ୟ ପ୍ରକାଶ କରିଛି। ଗତ ବର୍ଷ ନଭେମ୍ବର ୧୬ରେ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଥିଲେ। ୨୦୨୦ ଜୁନ୍‌ ଲଦାଖ ସଂଘର୍ଷ ପରଠାରୁ ଏହା ଥିଲା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌; ତେଣୁ ଏହାକୁ ସବୁ ମହଲରେ ଗୁରୁତ୍ବ ଦିଆଯାଉଥିଲା। ଉଭୟଙ୍କ ମଧ୍ୟରେ କେବଳ ସୌଜନ୍ୟମୂଳକ ଆଲୋଚନା ହୋଇଥିଲା ବୋଲି ସେତେବେଳେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ମଙ୍ଗଳବାର, ୨୫ ତାରିଖ ବେଜିଂ ପକ୍ଷରୁ ଦାବି କରାଯାଇଥିଲା ଯେ ବାଲି ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଓ ସେମାନେ ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା ତଥା ଉନ୍ନତି ଆଣିବା ପାଇଁ ‘ମହତ୍ତ୍ବପୂର୍ଣ୍ଣ ମତୈକ’ (କନ୍‌ସେନ୍‌ସସ୍‌)ରେ ଉପନୀତ ହୋଇଥିଲେ। ବେଜିଂର ଏହି ଦାବିକୁ ଦୀର୍ଘ ୮ମାସ ପରେ ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ ସ୍ବୀକାର କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା ଆଣିବାର ଆବଶ୍ୟକତା ଉପରେ ମତ ବିନିମୟ କରିଥିଲେ। ସମ୍ମିଳନୀର ଉଦ୍‌ଯାପନ ପରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ରାତ୍ରିଭୋଜନ ଅବସରରେ ମୋଦୀ ଓ ଜିନ୍‌ପିଙ୍ଗ୍‌ ଖୁସିମଜା କରିଥିଲେ ଏବଂ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ କଥା ହୋଇଥିଲେ। ବାସ୍ତବ ନିୟନ୍ତ୍ରଣ ରେଖା ଓ ସୀମାନ୍ତ ଅଞ୍ଚଳରେ ଶାନ୍ତିରକ୍ଷା ସହ ସ୍ଥିତାବସ୍ଥା ବଜାୟ ରଖିବା ନେଇ ଭାରତର ଆଭିମୁଖ୍ୟ ବଳବତ୍ତର ରହିଛି। ନିକଟରେ ଭାରତର ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍‌ର ନବନିଯୁକ୍ତ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି’ଙ୍କ ମଧ୍ୟରେ ଜୋହାନ୍ସବର୍ଗଠାରେ ହୋଇଥିବା ଆଲୋଚନା କାଳରେ ମଧ୍ୟ ମୋଦୀ ଓ ଜିନ୍‌ପିଙ୍ଗ୍‌ ସମ୍ପର୍କରେ ସ୍ଥିରତା ଆଣିବା ପାଇଁ ମତୈକରେ ପହଞ୍ଚିଥିବା ବିଷୟ ସ୍ଥାନ ପାଇଥିଲା ବୋଲି ବାଗ୍‌ଚୀ କହିଛନ୍ତି। ଦିଲ୍ଲୀ ଜି-୨୦ ସମ୍ମିଳନୀରେ ଜିନ୍‌ପିଙ୍ଗ୍‌ଙ୍କ ଯୋଗଦାନ ସମ୍ଭାବନା ସମ୍ପର୍କରେ ବାଗ୍‌ଚୀ କହିଚନ୍ତି ଯେ ଏଥିପାଇଁ ପ୍ରସ୍ତୁତି ଚାଲିଛି।

ଚୀନ୍‌ର ଦାବି ଓ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସ୍ବୀକାରୋକ୍ତି ପରିପ୍ରେକ୍ଷୀରେ କଂଗ୍ରେସ ପ୍ରତିକ୍ରିୟା ରଖିଛି। ପ୍ରଧାନମନ୍ତ୍ରୀ ମୋଦୀ ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନାବେଳେ ‘କନ୍‌ସେନ୍‌ସସ୍‌’ ପ୍ରକାଶ କରିଛନ୍ତି ନା କିଛି ‘କନ୍‌ସେସନ୍‌’ ବା ରିଆତି ପ୍ରଦାନ କରିଛନ୍ତି ତାହା ସରକାର ସ୍ପଷ୍ଟ କରିବା ଦରକାର। ସୀମା ବିବାଦ​‌େ​‌ର ମୋଦୀ ଚୀନ୍‌କୁ କିଛି ରିଆତି ଦେଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ। ଚୀନ୍‌ ସେନା ଲଦାଖର ଦେଶପାଙ୍ଗ ଓ ଡେମ୍‌ଚକ୍‌ରୁ ଚୂଡ଼ାନ୍ତ ପ୍ରତ୍ୟାହୃତ ହେବେ ବୋଲି ମୋଦୀ ଓ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଛି କି ? ମୋଦୀ ଚୀନ୍‌କୁ ଲଦାଖ ପ୍ରସଙ୍ଗରେ ସର୍ବସାଧାରଣରେ କ୍ଲିନ୍‌ଚିଟ୍‌ ଦେଇଛନ୍ତି; କିନ୍ତୁ ଏମିତି ଅଭିନୟ କରୁଛନ୍ତି ଯେମିତି ଚୀନ୍‌ ସହିତ କୌଣସି ସମଝୋତା ହୋଇନାହିଁ, ଏହାକୁ ଉଚିତ ଶିକ୍ଷା ଦିଆଯାଇଛି। ବାଲିରେ ଜିନ୍‌ପିଙ୍ଗ୍‌ଙ୍କ ସହ ତାଙ୍କର କେବଳ ସୌଜନ୍ୟମୂଳକ ଆଲୋଚନା ହୋଇଥିଲା ବୋଲି ଭାରତ ସରକାର କହିଥିଲେ; କିନ୍ତୁ ଏବେ ସତ ସାମ୍ନାକୁ ଆସିଛି। ମୋଦୀ ‘କନ୍‌ସେନ୍‌ସସ୍‌’ କିମ୍ବା ‘କନ୍‌ସେସନ୍‌’ରେ ଉପନୀତ ହୋଇଛନ୍ତି ତାହା ସ୍ପଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି। ଲଦାଖରେ ଚୀନ୍‌ ସେନା ରହିଥିଲାବେଳେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଦାଦାଗିରି ଦେଖାଇଛନ୍ତି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଧିମା ପଡ଼ିଯାଇଥିବା ଅର୍ଥନୈତିକ କାରବାର ଏବେ ବୃଦ୍ଧି ପାଇଛି; କିନ୍ତୁ ସରକାର ଦୁଇ ଦେଶ ମଧ୍ୟରେ କିଛି ବିବାଦ ଘଟିନଥିବା ଭଳି ସରକାର ଅଭିନୟ କରୁଥିବା ରମେଶ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories