ସମ୍ବଲପୁର: ସମ୍ବଲପୁରରେ ରହିଥିବା ବିଭିନ୍ନ ସରକାରୀ ଜମି ଗୁଡିକୁ ଜବରଦଖଲ କରାଯାଇଥିବା ବେଳେ ସେଗୁଡିକୁ ପ୍ରଶାସନ ବିକାଶ ମୂଳକ କାର୍ଯ୍ୟ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛି। ଏହି କ୍ରମରେ ସମ୍ବଲପୁର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଣୁ ରେଳବାଇ ପକ୍ଷରୁ ଷ୍ଟେସନ ଆଖପାଖରେ ଥିବା ନିଜସ୍ୱ ଜମି ଗୁଡିକୁ ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଶନିବାର ସମ୍ବଲପୁର ରେଳ ଷ୍ଟେସନକୁ ଲାଗିକି ରହିଥିବା ଚେରୁଆପଡ଼ା ଠାରେ ରେଳବାଇ ଜମି ଜବରଦଖଲ କରି ଘର କରିଥିବା ୨୮ଟି ଘର ଗୁଡିକୁ ଉଚ୍ଛେଦ କରାଯାଇଛି। ରେଳବାଇ ପକ୍ଷରୁ ପୂର୍ବରୁ ନୋଟିସ ଦିଆଯାଇଥିବା ବେଳେ ଆଜି ରେଳବାଇ ପକ୍ଷରୁ ସଦଳବଳ ଧରି ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ କାର୍ଯ୍ୟ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ମାନେଶ୍ୱରର ତହସିଲଦାର ବି. ପ୍ରଧାନ, ଅତିରିକ୍ତ ମଣ୍ଡଳ ଇଞ୍ଜିନିୟର ୟୁ. କେ. ସିଂ, ଆରପିଏଫ ଥାନାଧିକାରୀ ମୁନ୍ନା ଯାଦବ, ଜି. ଡି. ବାରିକ, ଜିଆରପି ଓ କ୍ଷେତରାଜପୁର ଥାନାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଉଚ୍ଛେଦ କରାଯାଇଥିବା ସ୍ଥାନରେ ଆଗାମୀ ଦିନରେ ରେଳବାଇ ପକ୍ଷରୁ ଷ୍ଟେସନ ସମ୍ପ୍ରସାରଣ ସମ୍ବନ୍ଧୀୟ କୋଠା ନିର୍ମାଣ ହେବାର ପ୍ରସ୍ତାବିତ ରହିଛି। ଏଥି ସହ ଷ୍ଟେସନର ସମ୍ପ୍ରସାରଣ ପାଇଁ ଆଗାମୀ ଦିନରେ ଆହୁରୀ ଆଖପାଖ ଅଞ୍ଚଳରେ ରହିଥିବା ଜବରଦଖଲ ଗୁଡିକୁ ଉଚ୍ଛେଦ ମଧ୍ୟ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
Popular Categories



