ଡେସ୍କ: ବିଦ୍ୟୁତ ମନ୍ତ୍ରଣାଳୟର ସୁପାରିସ ଆଧାରରେ ଅର୍ଥ ମନ୍ତ୍ରଣାଳୟ ୧୨ଟି ରାଜ୍ୟକୁ ୨୦୨୧-୨୨ ଏବଂ ୨୦୨୨-୨୩ରେ କାର୍ୟ୍ୟକାରୀ କରାଯାଇଥିବା ସଂସ୍କାରକୁ ମଞ୍ଜୁରୀ ଦେଇଛି। ବିଗତ ଦୁଇଟି ଆର୍ଥିକ ବର୍ଷରେ ଏସବୁ ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଅନୁମତି ମାଧ୍ୟମରେ ୬୬ ହଜାର ୪୧୩ କୋଟି ଟଙ୍କାର ଆର୍ଥିକ ସମ୍ବଳ ସଂଗ୍ରହ କରିବା ଲାଗି ଅନୁମତି ଦିଆଯାଇଛି। ଏଥିରେ ଓଡ଼ିଶାକୁ ୨ ହଜାର ୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି।
ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ଲାଗି ପ୍ରୋତ୍ସାହନ ଆକାରରେ ୨୦୨୧-୨୨ ଏବଂ ୨୦୨୨-୨୩ ପାଇଁ ଅତିରିକ୍ତ ଋଣ ଅନୁମତିର ସଞ୍ଚୟୀ ରାଶି ବାବଦକୁ ଆନ୍ଧ୍ର ପ୍ରଦେଶକୁ ୯ ହଜାର ୫୭୪ କୋଟି, ଆସାମକୁ ୪ ହଜାର ୩୫୯ କୋଟି, ହିମାଚଳ ପ୍ରଦେଶକୁ ୨୫୧ କୋଟି, କେରଳକୁ ୮ ହଜାର ୩୨୩ କୋଟି, ମଣିପୁରକୁ ୧୮୦ କୋଟି, ମେଘାଳୟକୁ ୧୯୨ କୋଟି, ରାଜସ୍ଥାନକୁ ୧୧ ହଜାର ୩୦୮ କୋଟି, ସିକ୍କିମକୁ ୩୬୧ କୋଟି, ତାମିଲନାଡ଼ୁକୁ ୭ ହଜାର ୫୪ କୋଟି, ଉତ୍ତର ପ୍ରଦେଶକୁ ୬ ହଜାର ୮୨୩ କୋଟି ଏବଂ ପଶ୍ଚିମବଙ୍ଗକୁ ୧୫ ହଜାର ୨୬୩ କୋଟି ପ୍ରଦାନ କରାଯାଇଛି।
ଏହି ପ୍ରକ୍ରିୟାରେ ରାଜ୍ୟଗୁଡିକ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ସହ ଜଡ଼ିତ ଅତିରିକ୍ତ ଋଣ ଉଠାଇବାର ସୁବିଧାର ଲାଭ ନେବା ଜାରି ରଖିପାରିବେ। ୨୦୨୩-୨୪ରେ ଏହି ସଂସ୍କାର ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହନ ରାଶି ଆକାରରେ ୧,୪୩,୩୩୨ କୋଟି ଟଙ୍କା ଉପଲବ୍ଧ ହେବ। ୨୦୨୧-୨୨ ଏବଂ ୨୦୨୨-୨୩ରେ ସଂସ୍କାର ପ୍ରକ୍ରିୟାକୁ ପୂରଣ କରିବାରେ ଅସମର୍ଥ ହୋଇଥିବା ରାଜ୍ୟମାନେ ଯଦି ଚଳିତ ଆର୍ଥିକ ବର୍ଷରେ ସଂସ୍କାରକୁ ଲାଗୁ କରିବାରେ ସକ୍ଷମ ହୁଅନ୍ତି ତା’ହେଲେ ସେମାନେ ୨୦୨୩-୨୪ ପାଇଁ ନିର୍ଦ୍ଧାରିତ ଅତିରିକ୍ତ ଋଣ ନେବାର ଲାଭ ମଧ୍ୟ ପାଇପାରିବେ।



