ଫୁଲବାଣୀ: ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ, କନ୍ଧମାଳ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ – ୨୦୨୩ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଅଧ୍ୟକ୍ଷତା କରି କହିଲେ, ଯେ କୌଣସି ବିପର୍ଯ୍ୟୟରୁ ମଣିଷ ସମ୍ପଦ ହେଉ ବା ପ୍ରାଣୀ ସମ୍ପଦ ହେଉ ସମସ୍ତଙ୍କୁ ରକ୍ଷା କରିବା ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ୍। ଯଦିଓ ଆମ ଜିଲ୍ଲାରେ ବହୁମୁଖୀ କେନ୍ଦ୍ର ଖୋଲାଯାଇ ନାହିଁ ତଥାପି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ମଣିଷ ଓ ପଶୁମାନଙ୍କୁ ନିରାପଦରେ ରଖିବା ପାଇଁ କେତେଗୁଡ଼ିଏ ଆଶ୍ରୟସ୍ଥଳୀ ସ୍ଥିର କରାଯାଇଛି। ତେବେ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ସଜାଗ ହେବା ସହିତ ବିପର୍ଯ୍ୟୟ ପରେ ପରେ ଥଇଥାନ ପଦକ୍ଷେପକୁ ସଠିକ ମାର୍ଗରେ ପରିଚାଳନା ଉଦ୍ଦେଶ୍ୟରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ସେହି ସମୟରେ ପ୍ରତ୍ୟେକ ବିଭାଗୀୟ ଅଧିକାରୀମାନଙ୍କର ଅନ୍ୟ ବିଭାଗର କାର୍ଯ୍ୟ ସମ୍ପର୍କରେ ଜ୍ଞାନ ବା ଧାରଣା ଥିବା ଆବଶ୍ୟକ। କାରଣ ସେତେବେଳେ କମ୍ ସମୟରେ କମ୍ ଲୋକରେ ଅଧିକ କାମ କରିବାକୁ ପଡ଼ିଥାଏ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଡି.ଆର୍.ଆର୍. ପରାମର୍ଶଦାତା ସରୋଜ କୁମାର ଦାଶ ବିପର୍ଯ୍ୟୟ ପରିଚାଳନାରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କୀତ ତଥ୍ୟ ଉପସ୍ଥାପନା କରିଥିଲେ। ଓ.ଏସ୍.ଡି.ଏମ୍.ଏ. ରାଜ୍ୟ ପର୍ଯ୍ୟବେକ୍ଷକ ଅରବିନ୍ଦ ଆଚାର୍ଯ୍ୟ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଜିଲ୍ଲାରେ ବିପର୍ଯ୍ୟୟକୁ ରୋକିବା ପାଇଁ ବା ପ୍ରଭାବକୁ କମାଇବା ପାଇଁ ଏବଂ ବିପର୍ଯ୍ୟୟ ପରେ ପରେ ନେବାକୁ ଥିବା ପଦକ୍ଷେପ ଗୁଡ଼ିକୁ ସଠିକ ସମୟରେ ଓ ସଠିକ ଭାବରେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ। ଆଲୋଚନା ପ୍ରକାରେ , ଜିଲ୍ଲା ଆପତକାଳୀନ ଅଧିକାରୀ ବିପର୍ଯ୍ୟୟର ପୂର୍ବ ସୂଚନା ପ୍ରଦାନ ସହିତ ଏହାର ସୁପରିଚାଳନା ପାଇଁ ତାଙ୍କ କାର୍ଯ୍ୟାଳୟରେ ଦିବା ରାତ୍ର କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି ବୋଲି କହିଥିବାବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦ୍ୱାରା ନିଆଯାଇଥିବା ଏବଂ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ। ସେହିଭଳି, ପଶୁ ସମ୍ପଦ ବିଭାଗ, ଯୋଗାଣ ବିଭାଗ, ଅଗ୍ନିଶମ ବିଭାଗ ,କୃଷିବିଭାଗ. ଉଦ୍ୟାନ କୃଷି ବିଭାଗ, ସମାଜ ମଙ୍ଗଳ ବିଭାଗ, ଶକ୍ତି ବିଭାଗ, ଜଳ ଓ ପରିମଳ ବିଭାଗ, ଶିକ୍ଷା ବିଭାଗ, ବି.ଏସ୍.ଏନ୍.ଏଲ୍. , ସାମାଜିକ ସୁରକ୍ଷା ବିଭାଗ, ସାମାଜିକ ଅନୁଷ୍ଠାନ,ନିପିଡୀତ ଓ ସ୍ୱାତୀର ଅଧିକାରୀମାନେ ନିଜ ନିଜ ବିଭାଗ ବା ଅନୁଷ୍ଠାନ ଦ୍ୱାରା ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ କ’ଣ କ’ଣ ପଦକ୍ଷେପ ନେବାକୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଆପତକାଳୀନ ଅଧିକାରୀ ପ୍ରଦ୍ୱୁମ୍ନ ମଣ୍ଡଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ଡି.ଆର୍.ଆର୍. ପରାମର୍ଶଦାତା ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ(ପ୍ରଶାସନ), ଜିଲ୍ଲା ପରିଷଦ, କନ୍ଧମାଳ ହରପ୍ରସାଦ ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଳଲିତ କୁମାର ପଟ୍ଟନାୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
Popular Categories



