www.samajalive.in
Tuesday, December 9, 2025
16.1 C
Bhubaneswar

ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀଙ୍କ ପରଲୋକ

ବୌଦ୍ଧ: ବୌଦ୍ଧର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ୯୨ବର୍ଷ ବୟସରେ ତାଙ୍କର ବଗିଚାସାହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ଦୁର୍ବଳତା ଯୋଗୁଁ ସ୍ୱର୍ଗତ ପାଣିଗ୍ରାହୀ ଦୀର୍ଘଦିନ ହେଲା ଶଯ୍ୟାସାୟୀ ଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ତାଙ୍କର ପରଲୋକ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ଶୁଭେଛୁ ଓ ବନ୍ଧୁବର୍ଗ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲା ଉନ୍ନୟନ ପରିଷଦର ସଭାପତି ଚିତରଂଜନ ଦାଶ, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ରବୀନ୍ଦ୍ର କୁମାର ରାଉତ, ସଂପଦ କୁମାର ଅଗ୍ରୱାଲା, ଜିଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ସଂପାଦକ ରବୀନ୍ଦ୍ର ପଟ୍ଟନାୟକ, ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ, ପ୍ରେସକ୍ଲବର ସଂପାଦକ ରଘୁନାଥ ଷଡଙ୍ଗୀଙ୍କ ସମେତ ରାମଲୀଳା ନାଟ୍ୟ ସଂସଦର କାର୍ଯ୍ୟକର୍ତ୍ତା ତାଙ୍କର ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ବୌଦ୍ଧ ଶ୍ମସାନ ଘାଟଠାରେ ତାଙ୍କର ଶେଷକୃତ୍ୟ ସମାପନ କରାଯାଇଛି। ବନମାଳୀ ବାବୁ କେବଳ ଜଣେ ବ୍ୟକ୍ତି ନଥିଲେ ସେ ଥିଲେ ଏକ ଅନୁଷ୍ଠାନ। ଜୀବନର ଶେଷ ପାହାଚ ପର୍ଯ୍ୟନ୍ତ ସାହିତ୍ୟ ସାଧନା ସହିତ ଆତ୍ମନିର୍ଭରଶୀଳ ଭାବରେ ଜୀବନ ଯାପନ କରିବାକୁ ସେ ପସନ୍ଦ କରିଥିଲେ। ଜଣେ ଉଚ୍ଚକୋଟିର ପ୍ରାବନ୍ଧିକ ଭାବରେ ତାଙ୍କର ସାରା ରାଜ୍ୟରେ ସୁଖ୍ୟାତି ରହିଥିଲା। ତାଙ୍କ ଦ୍ୱାରା ରଚିତ ପ୍ରବନ୍ଧ ସଂକଳନ ପୁସ୍ତକ ଭାବରେ ରାଜା ରାମମୋହନ ରାୟ ଲାଇବ୍ରେରୀରେ ସ୍ଥାନ ପାଇପାରିଥିଲା। ଏକ ଔଷଧ କମ୍ପାନୀରେ ଉଚ୍ଚପଦସ୍ଥ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବାବେଳେ ୧୯୮୨ ପ୍ରଳୟଙ୍କାରୀ ବନ୍ୟା ତାଙ୍କର ଜୀବନର ଗତିପଥ ବଦଳାଇ ଦେଇଥିଲା। ସେ ଚାକିରୀ ଛାଡି ବୌଦ୍ଧ ଫେରିଥିଲେ। ବୌଦ୍ଧରେ ନିଜର କର୍ମମୟ ଜୀବନ ଆରମ୍ଭ କରିବା ପାଇଁ ସେ ଅନେକ ସଂଘର୍ଷ କରିଥିଲେ। ସେ ଜଣେ ସୁବକ୍ତା ଥିଲେ। ନିଜେ ଏକ ଛାପାଖାନା ସ୍ଥାପନ କରି ବ୍ୟବସାୟ ସହିତ ସାହିତ୍ୟ ସାଧନା ଜାରି ରଖିଥିଲେ। ବିଭିନ୍ନ ପତ୍ର ପ୍ରତ୍ରିକାରେ ପ୍ରକାଶିତ ତାଙ୍କର ପ୍ରବନ୍ଧ ଓ କବିତାଗୁଡିକ ସାରା ରାଜ୍ୟର ସାହିତ୍ୟିକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ତାଙ୍କ ଦ୍ୱାରା ସଂପାଦିତ ମର୍ମ ନାମକ ସାପ୍ତାହୀକ ପତ୍ରିକା ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଥିଲା। ସେ ରାଜନିତିରେ ପାଦ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବରେ ଏନଏସି ଅଧ୍ୟକ୍ଷ ଓ ବିଧାୟକ ନିର୍ବାଚନ ଲଢିଥିଲେ ମଧ୍ୟ ସଫଳତା ପାଇପାରିନଥିଲେ। ପରେ ନିଜର ସାହିତ୍ୟ ସାଧନା ଜାରି ରଖିବା ସହିତ ଦୀର୍ଘଦିନ ଧରି ପ୍ରଜାତନ୍ତ୍ରର ସ୍ୱତନ୍ତ୍ର ପ୍ରତିନିଧି ଭାବରେ ସାମ୍ବାଦିକତା କରିଥିଲେ। ସେ ଜିଲା ସାମ୍ବାଦିକ ସଂଘର ସଭାପତି,ବୌଦ୍ଧ ବଣିକ ସଂଘର ସଭାପତି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ବାଗ୍ମୀ, ସାହିତ୍ୟ ସାଧକ, ସାମ୍ବାଦିକ, ସ୍ତମ୍ବକାର, କବି ଓ ସୁବକ୍ତା ଭାବରେ ବୌଦ୍ଧ ମାଟି ସର୍ବଦା ବନମାଳୀ ପାଣିଗ୍ରାହୀଙ୍କୁ ସ୍ମରଣ ରଖିବ ଏଥିରେ କୌଣସି ସନ୍ଦେହ ନାହିଁ।

- Advertisement -

ଜିଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ବନମାଳୀ ପାଣିଗ୍ରାହୀଙ୍କ ୯୨ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ସଂଘ କାର୍ଯ୍ୟାଳୟଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସ୍ୱର୍ଗତ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ପରଲୋକଗତ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା, ରବୀନ୍ଦ୍ର କୁମାର ରାଉତ, ଧବଳେଶ୍ୱର ମହାପାତ୍ର, ପ୍ରମାଦ କୁମାର ବାଘ, ଅଜିତ କୁମାର ବାରିକ, ସଜନ କୁମାର ଅଗ୍ରୱାଲା, କୃଷ୍ଣଗୋପାଳ ମେହେରଙ୍କ ସମେତ ସଂଘର ସଭାପତି ଶ୍ରୀମିଶ୍ର ଓ ସଂପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories