ଗୋପାଳପୁର : ଗୋପାଳପୁର ବେଳାଭୂମି ଅଞ୍ଚଳରେ ନିରବଛିନ୍ନ ଭାବେ ବିଦ୍ୟୁତ୍ ସରବରାହ ପ୍ରଦାନ ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ଭୂତଳ ବିଦ୍ୟୁତୀକରଣ ବ୍ୟବସ୍ଥା କରାଯାଇଥିଲା। ଏହାର ସୁପରିଚାଳନା ନିମନ୍ତେ ବେଳାଭୂମିର କେତେକ ସ୍ଥାନରେ ଡିପି ସୁଇଚ ବୋର୍ଡ ସ୍ଥାପନ କରାଯାଇଥିଲା। ଏହା ମଧ୍ୟରେ ଗତ କିଛି ମାସ ହେବ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୁଇଚ ବୋର୍ଡ ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ସହ ବିପଦ ସଂକୁଳ ଅବସ୍ଥାକୁ ଚାଲି ଆସିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅସାବଧାନତା ବଶତଃ କୈାଣସି ପର୍ଯ୍ୟଟକ ଖୋଲାରେ ପଡିରହିଥିବା ଉକ୍ତ ବୋର୍ଡ଼ ସଂସ୍ପର୍ଶରେ ଆସିଲେ ଜୀବନ ଯିବା ନିଶ୍ଚିତ ହୋଇପଡିଥିଲା।
ଏହି ଅବ୍ୟବସ୍ଥା ନେଇ ଗତ ମେ ୩୧ ତାରିଖରେ ସମାଜ ଖବର କାଗଜରେ ବିସ୍ତୃତ ବିବରଣୀ ଫୋଟ ସହ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ବିଦ୍ୟୁତ ବିଭାଗ ତଥା ଟିପିଏସଡିଏଲ ପକ୍ଷରୁ ଆଜି ବେଳାଭୂମି ଅଞ୍ଚଳରେ ବିପଦ ସଂକୁଳ ଭାବେ ଡିପି ସୁଇଚ ବୋର୍ଡ ଗୁଡ଼ିକର ପରିବର୍ତ୍ତନ କରାଯାଇ ନୂଆ ବୋର୍ଡ଼ ଲଗାଇବା କାମ ଆରମ୍ଭ କରାଯାଇଛି। ଡେରିରେ ହେଲେ ମଧ୍ୟ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ସମାଜ ଖବର କାଗଜକୁ ଧନ୍ୟବାଦ ଅର୍ପଣ କରାଯାଇଛି । ସୂଚନାଯୋଗ୍ୟ ବେଳାଭୂମିର ଏକ କିଲୋମିଟର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ ପୂର୍ବରୁ ସବୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ତାରର ବ୍ୟବସ୍ଥା ରହିଥିଲା। ବେଳାଭୂମିର ଏହା ସମ୍ମୁଖ ଭାଗରେ ରହୁଥିବା ଯୋଗୁଁ ସବୁ ସମୟରେ ବିଦ୍ୟୁତ ବିଭ୍ରାଟ ଲାଗି ରହିବା ସହ ବିପଦ ଘାରି ରହୁଥିଲା ।

ତିନିବର୍ଷ ତଳେ ତତ୍କାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପକ୍ଷରୁ ବିଦ୍ୟୁତ ବିଭାଗକୁ କୁହାଯାଇ ହୋଟେଲ ହଲିଡେ ହୋମ ଠାରୁ ଓମ୍ ସାଇ ଫାର୍ମାସି କଲେଜ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ବେଳାଭୂମି ଅଞ୍ଚଳରେ ଭୂତଳ କେବୁଲ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ ପରିଚାଳନା ନିମନ୍ତେ ସାତଟି ସ୍ଥାନରେ ଡିପି ସୁଇଚ ବୋର୍ଡ ସ୍ଥାପନ କରାଯାଇଥିଲା। ଏହା ମଧ୍ୟରେ ସୁଇଚ ବୋର୍ଡ ଗୁଡ଼ିକ ନଷ୍ଟ ହୋଇ ଯାଇଥିବାରୁ ଖୋଲା ମେଲା ରହି ଆସୁଥିଲା।



