ଆଜି ନିଟ୍‌-ସ୍ନାତକ ପରୀକ୍ଷା, ଓଡ଼ିଶାରୁ ୫୬୯୮୯ ବିଦ୍ୟାର୍ଥୀ

୪୯୯ଟି ସହରରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର: ଏମ୍‌ବିବିଏସ୍‌, ବିଡିଏସ୍‌, ହୋମିଓପାଥିକ (ବିଏଚ୍‌ଏମ୍‌ଏସ୍‌) ଏବଂ ଆୟୁର୍ବେଦିକ (ବିଏଏମ୍‌ଏସ୍‌) ଆଦି ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନ୍‌ଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍‌) ସ୍ନାତକ(ୟୁଜି) ଆଜି ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଏନ୍‌ଟିଏ ପକ୍ଷରୁ ପ୍ରସ୍ତୁତି ସରିଛି। ଦେଶରେ ମୋଟ ୨୦ ଲକ୍ଷ ୫୯ ହଜାର ୬ବିଦ୍ୟାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବାବେଳେ ଏନ୍‌ଟିଏ ପକ୍ଷରୁ ସମୁଦାୟ ୪୯୯ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥିରୁ ଦେଶର ୪୮୫ଟି ସହର ଥିବାବେଳେ ବିଦେଶରେ ୧୪ଟି ସହର ରହିଛି। ଚଳିତ ନିଟ୍‌ ପରୀକ୍ଷାରେ ଓଡ଼ିଶାରୁ ମୋଟ ୫୬ ହଜାର ୯୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବାବେଳେ ଏଥିନିମନ୍ତେ ଏନ୍‌ଟିଏ ପକ୍ଷରୁ ରାଜ୍ୟର ୨୭ଟି ସହରରେ ୧୨୫ ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ବରରେ ୨୨ଟି ପରୀକ୍ଷା କେନ୍ଦ୍ର ହୋଇଥିବାରୁ ଏଥିରେ ୧୪ ହଜାର ୪୮୧ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି।

ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ୨୦ ମିନିଟରେ ସରିବ। ପରୀକ୍ଷାର୍ଥୀ କେନ୍ଦ୍ରକୁ ନିଟ୍‌ ପ୍ରବେଶିକା ପତ୍ର, ପରିଚୟ ପତ୍ର, ପାଣି ବୋତଲ, ଫଟୋ ଆଣିବା ସହ ତୁଣ୍ଡି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଅନୁଗୋଳ, ବାଲେଶ୍ବର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, ଜୟପୁର, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀ, ବରଗଡ଼, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ରାଇରଙ୍ଗପୁର, ବ୍ରହ୍ମପୁର ଏବଂ ବାରିପଦାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଇଂରାଜୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ଗୁଜରାଟି, ମରାଠୀ, ତାମିଲ, ତେଲୁଗୁ, ଅହମିୟା, କନ୍ନଡ, ଉର୍ଦୁ, ମାଲାୟଲମ ଏବଂ ପଞ୍ଜାବୀ ଆଞ୍ଚଳିକ ଭାଷାରେ ନିଟ୍‌ ପ୍ରଶ୍ନପତ୍ର ଆସିବ।

Comments are closed.