www.samajalive.in
Saturday, December 6, 2025
16.1 C
Bhubaneswar

୧୯ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ବିଶ୍ବକପ, ଟାଇଟଲ ବଜାୟ ରଖିଲା ଭାରତ

କ୍ବାଲାଲାମ୍ପୁର : ଭାରତ ଆଇସିସି ୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ବିଶ୍ବକପ ଟ୍ରଫି ବଜାୟ ରଖିଛି। କ୍ବାଲାଲାମ୍ପୁରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଫାଇନାଲ ରବିବାର ବୈମାସ ଓଭାଲରେ ଖେଳାଯାଇଥିଲା। ଏଥିରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଚମ୍ପିଆନ ହୋଇଛି। ଭାରତ ୨୦୨୩ ପ୍ରଥମ ସଂସ୍କରଣରେ ମଧ୍ୟ ଚମ୍ପିଆନ ହୋଇଥିଲା।

ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ଭାରତ ସମ୍ମୁଖରେ ୮୩ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ୧୧.୨ ଓଭର ଖେଳି ୧ ୱିକେଟରେ ୮୪ରନ କରି ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ଦୁଇ ଓପନର ଜି କମଳିନି ଓ ଗୋଙ୍ଗାଡ଼ି ତ୍ରିଶା ୩୬ରନ ଭାଗିଦାରୀ କରିଥିଲେ। କମଳିନି ୮ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ତ୍ରିଶା ଓ ସାନିକା ଚଲ୍‌​‌କେ ଅବିଭାଜିତ ୪୮ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ତ୍ରିଶା ୩୩ଟି ବଲରୁ ୮ଟି ଚୌକା ସହ ୪୪ ଓ ସାନିକା ୨୨ଟି ବଲରୁ ୪ଟି ଚୌକା ସହ ୨୬ରନ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଏଲ ରିନାକେ ଏକମାତ୍ର ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଉକ୍ତ ନିଷ୍ପତ୍ତିକୁ ଭାରତୀୟ ବୋଲର ସଠିକ ସାବ୍ୟସ୍ତ କରିବାକୁ ଦେଇନଥିଲେ।

- Advertisement -

ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବା ସହ ଏଥିରୁ ମୁକୁଳି ପାରିନଥିଲା। ଦଳ ୪୪ରନ​‌ ମଧ୍ୟରେ ୫ଟି ୱିକେଟ ହରାଇଥିଲା। ଜିମା ବୋଥା ୧୬, କାରୋବା ମିଶୋ ୧୦, କାଏଲ ରିନାକୋ ୭, ଦାଏରା ରାମାଲିକାନ ୩ରନ କରି ଆଉଟ୍‌ ହୋଇଥିବା ବେଳେ ସିମୋନ ଲରେନ ଖାତା ଖୋଲି ପାରିନଥିଲେ। ଷଷ୍ଠ ୱିକେଟରେ ମାଇକ୍‌ ଭାନ ଭେରେଷ୍ଟ ଓ ଫ୍ଳାଏ କୋଲିଙ୍ଗ ୩୦ରନ ଭାଗିଦାରୀ କରିଥିଲେ। ୭୪ରନ ସ୍କୋର ଥିବାବେଳେ ଭାନ ଭୋରେଷ୍ଟ ୨୩ରନ କରି ଆଉଟ୍‌ ହୋଇଥିଲେ। ଦଳ ଶେଷ ୪ ୱିକେଟ ୮ରନ ମଧ୍ୟରେ ହରାଇବା ସହ ୮୨ରନରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। କୋଲିଙ୍ଗ ୧୫ରନ କରିଥିଲେ। ଭାରତ ପକ୍ଷରୁ ଗୋଙ୍ଗାଡ଼ି ତ୍ରିଶା ୩ଟି, ପାରୁନିକା ସିସୋଦିଆ, ଆୟୁଶି ଶୁକ୍ଲା ଓ ବୈଷ୍ଣବୀ ଶର୍ମା ୨ଟି ଲେଖାଏଁ ଓ ସବନମ ସକିଲ ଗୋଟିଏ ୱିକେଟ ନେଇଥିଲେ। ଗୋଙ୍ଗାଡ଼ି ତ୍ରିଶା ପ୍ଳେୟାର ଅଫ ଦି ଫାଇନାଲ ଓ ସିରିଜ୍‌ ବିବେଚିତ ହୋଇଥିଲେ।

ମାଲେସିଆରେ ଆୟୋଜିତ ୧୯ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତ କ୍ରମାଗତ ୨ୟ ଥର ଚମ୍ପିଆନ୍‌ ହୋଇଛି। ବିଜୟୀ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ଆମ ନାରୀ ଶକ୍ତି ପାଇଁ ଅତ୍ୟନ୍ତ ଗର୍ବିତ। ୧୯ ବର୍ଷରୁ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଚମ୍ପିଆନ୍‌ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ। ଚମତ୍କାର ଦଳଗତ ପ୍ରଦର୍ଶନ, ନିଷ୍ଠା ଓ ଧୈର୍ଯ୍ୟ ଯୋଗୁଁ ଏହି ବିଜୟ ସମ୍ଭବ ହୋଇଛି। ଏହା ଭାରତର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ଯୋଗାଇବ। ଭବିଷ୍ୟତର ପ୍ରତିଯୋଗିତା ପାଇଁ ବହୁତ ଶୁଭକାମନା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories