ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଘୋଷଣା କଲା ଏନଡିଏ

ଡେସ୍କ: ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ -ଏନଡିଏର ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ଘୋଷଣା କରାଯାଇଛି। ରାଞ୍ଚିରେ ଝାଡ଼ଖଣ୍ଡ ନିର୍ବାଚନ ସହ ପ୍ରଭାରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ବିଜେପି ୬୮ଟି ଆସନରେ ଲଢ଼ିବ ଏବଂ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ, ଏଜେଏସୟୁ ପାର୍ଟିକୁ ୧୦ଟି ଆସନ ଆବଣ୍ଟନ କରାଯାଇଛି। ଜାମସେଦପୁର ପଶ୍ଚିମ ଓ ତାମାର ନାମକ ଦୁଇଟି ଆସନ ଜନତା ଦଳ (ୟୁନାଇଟେଡ)କୁ ଦିଆଯାଇଥିବା ବେଳେ ଚତ୍ରାର ଗୋଟିଏ ଆସନ ଚିରାଗ ପାସୱାନଙ୍କ ନେତୃତ୍ୱାଧୀନ ଏଲଜେପିକୁ ଦିଆଯାଇଛି।

ଅନ୍ୟପକ୍ଷରେ ଆସନ ବୁଝାମଣା ଉପରେ ନିଷ୍ପତ୍ତି ନେବା ପାଇଁ ଇଣ୍ଡିଆ ମେଣ୍ଟ ନିଜ ସହଯୋଗୀ ଦଳମାନଙ୍କ ସହ ଜୋରଦାର ଆଲୋଚନା କରୁଛି। ଏଥର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ସିପିଆଇ (ଏମଏଲ) ସହିତ ନିର୍ବାଚନ ଲଢ଼ିବ। ବରିଷ୍ଠ ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଆଜି ରାଞ୍ଚିରେ ପହଞ୍ଚି ଜେଏମଏମର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କ ସହ ଆସନ ବୁଝାମଣା ନେଇ ଆଲୋଚନା କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ରାଞ୍ଚି ଆସି ଆସନ ବୁଝାମଣା ନେଇ ଆଲୋଚନା କରିବେ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୩ଟି ନାମାଙ୍କନପତ୍ର ଦାଖଲ ହୋଇଛି। ନଭେମ୍ବର ୧୩ ତାରିଖରେ ଏହି ପର୍ଯ୍ୟାୟରେ ୪୩ଟି ଆସନରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୨୦ ତାରିଖରେ ୩୮ଟି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣତି ହେବ।

ବିଭିନ୍ନ ରାଜ୍ୟର ୪୭ଟି ବିଧାନସଭା ଆସନ ଏବଂ କେରଳର ୱାୟନାଡ ସଂସଦୀୟ ଆସନ ପାଇଁ ମଧ୍ୟ ଆସନ୍ତା ମାସ ୧୩ ତାରିଖରେ ଉପନିର୍ବାଚନ ହେବ। ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନ ପାଇଁ ନଭେମ୍ବର ୨୦ ରେ ଉପନିର୍ବାଚନ ଅନୁଷ୍ଠିତ ହେବ।

Comments are closed.