ମୁମ୍ବଇ : ଜାତୀୟ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଶରଦ ପାୱାର ପୁଣି ଥରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଶରଦ ପାୱାର ଶୁକ୍ରବାର ଦାବି କରିଛନ୍ତି ଯେ ସେ ନିିଜ ଦଳ ଏନ୍ସିପି ପାଇଁ ବଟନ ଚିପିଥିଲେ, ହେଲେ ଭୋଟ ବିଜେପିକୁ ଚାଲିଗଲା। ନିଜ ଆଖିରେ ସେ ଏହା ଦେଖିଛନ୍ତି ବୋଲି କହିଛନ୍ତି।
ଶରଦ କହିଛନ୍ତି ଯେ ସବୁ ଇଭିଏମକୁ ନେଇ ସେ ଏହି ପ୍ରଶ୍ନ କରୁନାହାନ୍ତି। ନିକଟରେ ହାଇଦରାବାଦ ଏବଂ ଗୁଜୁରାଟର କେତେକ ଲୋକ ତାଙ୍କ ଆଗରେ ଏକ ଇଭିଏମ ମେସିନ ରଖିଥିଲେ। ସେ ଇଭିଏମରେ ଏନସିପି ପାଇଁ ବଟନ ଚିପିବା ମାତ୍ରେ ଭୋଟ ବିଜେପିକୁ ଚାଲିଯାଇଥିଲା। ତେଣୁ ଇଭିଏମରେ ଗଡ଼ବଡ଼ ହୋଇପାରିବ ବୋଲି ସେ ଦାବି କରିଛନ୍ତି।
ପ୍ରକାଶ ଯେ ପୂର୍ବରୁ ୨୧ ବିରୋଧୀ ଦଳ ଇଭିଏମ ହ୍ୟାକିଂ ଓ ଗଡ଼ବଡ଼ ଆଶଙ୍କା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆବେଦନ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ୫୦% ଇଭିଏମ ଓ ଭିଭିପାଟ ସ୍ଲିପ୍ ମିଳାଇବା ଆବେଦନକୁ ଖାରଜ କରିଦେଇଥିଲେ।



