କଟକ: ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ ବିଶେଷ ଆଗେଇ ନାହିଁ ବୋଲି ଆଜି ହାଇକୋର୍ଟ ପକ୍ଷରୁ କୁହାଯାଇଛି। ହାଇକୋର୍ଟରେ ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ଏସ୍ଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ ପରେ ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇ ନାହିଁ। ଆସନ୍ତା ୨୪ ସୁଦ୍ଧା ପରବର୍ତ୍ତି ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ତଦନ୍ତର ଅଗ୍ରଗତି ପାଇଁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଏସ୍ଆଇଟି ମୁଖ୍ୟଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି କରାଯିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।
ଗତକାଲି ମୁଦା ଲଫାପାରେ ଏସ୍ଆଇଟି ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା। ଏଥିରେ ପରୀ ହତ୍ୟାକାଣ୍ଡ ମାମଲାର ମୋଡ଼ ବଦଳିଗଲା ଭଳି ତଥ୍ୟ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହତ୍ୟା ପୂର୍ବରୁ ପୀଡ଼ିତା ପରୀର ଶରୀର ଉଲଗ୍ନ ରହିଥିଲା। ସାଇଣ୍ଟିଫିକ୍ ପରୀକ୍ଷଣ ସମୟରେ ପୀଡ଼ିତା ପରୀ ପିନ୍ଧିଥିବା ପୋଷାକରୁ ସିମେନ୍ର ଦାଗ ମିଳିଥିଲା। ତେଣୁ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସୂଚନା ଦିଆଯାଇଥିବା ଜଣାପଡ଼ିଛି।



