www.samajalive.in
Friday, December 5, 2025
20.1 C
Bhubaneswar

ସରିଲା ଅଭ୍ୟାସ, ବୁଧବାର ପରାକ୍ରମ ପ୍ରଦର୍ଶନ

ପୁରୀ : ପୁରୀର ଜଳ, ସ୍ଥଳ ଓ ଆକାଶ ପଥରେ ସୋମବାର ଶେଷ ହୋଇଛି ଭାରତୀୟ ନୌସେନାର ଫୁଲଡ୍ରେସ ରିହରସାଲ। ଲୋକଙ୍କୁ ଆଚମ୍ବିତ କରିଛି ପ୍ରବଳ ପରାକ୍ରମୀ ମାର୍କୋଶ ବାହିନୀ ସମେତ ଯୁଦ୍ଧ ଜାହାଜ ଏବଂ ଏୟାରକ୍ରାଫ୍ଟ ଗୁଡ଼ିକର ଦୁଃସାହସିକ ସାମରିକ କୌଶଳ। ସନ୍ଧ୍ୟାରେ ପ୍ରଦର୍ଶିତ ଆକର୍ଷଣୀୟ ଲେଜର ଶୋ, ଫାୟାର୍ ଶୋ ଏବଂ ଡ୍ରୋନ ଶୋ ସମବେତ ଜନତାଙ୍କୁ ବିଭୋର କରିଛି। ନୌବାହିନୀର ପରେଡ ସମେତ ସେନା ବ୍ୟାଣ୍ଡ ବେଶ ଚିତ୍ତାକର୍ଷକ ହୋଇଥିଲା। ଯୁଦ୍ଧ କୌଶଳ ପ୍ରଦର୍ଶନ ସମୟରେ ଉଡୁଥିବା ଜାତୀୟ ପତାକା ଦେଶାତ୍ମବୋଧର ବାର୍ତ୍ତା ପ୍ରଚାର କରିଛି। ସେନା ହେଲିକପ୍ଟର ଏବଂ ଏୟାରକ୍ରାଫ୍ଟ ଗୁଡ଼ିକର ପ୍ରଚଣ୍ଡ ଶବ୍ଦରେ ପ୍ରକମ୍ପିତ ହୋଇଛି ସମଗ୍ର ପୁରୀ ସହର। ସୋମବାର ନୌସେନାର ଚୂଡ଼ାନ୍ତ ଅଭ୍ୟାସରେ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ ଓ ଚାରୋଟି ଯୁଦ୍ଧ ଟ୍ୟାଙ୍କ ସାମିଲ ହୋଇଥିଲେ। ଅପରାହ୍ନ ୪ ଟାରେ ସମରକଳା କୌଶଳ ପ୍ରଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ସ୍ଥଳସେନା ବାହିନୀର କେତେକ ଉପକରଣ ସେଥିରେ ବ୍ୟବହାର କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ଗୁଡ଼ିକ କୌଶଳ ପ୍ରଦର୍ଶନ କରିଥିଲେ। ଉଭୟ ସ୍ଥଳ ଓ ଜଳ ପଥରେ ଦ୍ରୁତଗତିରେ ଯାତାୟାତ ପାଇଁ ସକ୍ଷମ ଥିବା ଟ୍ୟାଙ୍କ ଗୁଡ଼ିକ ଗୁଳିଗୋଳା ଏବଂ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କୌଶଳ ପ୍ରଦର୍ଶନ କରିଥିଲେ। ଆକାଶରୁ ଏୟାରକ୍ରାଫ୍ଟ ଗୁଡ଼ିକ ନିଆଁଗୋଳା ବର୍ଷଣ କରିଥିଲେ। ସମୁଦ୍ର ଭିତରେ ଥିବା ଯୁଦ୍ଧ ଜାହାଜ ଗୁଡ଼ିକୁ ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଛି। ନୌସେନାର ବରିଷ୍ଠ ଅଧିକାରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଫୁଲଡ୍ରେସ ରିହରସାଲ (ଚୂଡ଼ାନ୍ତ ଅଭ୍ୟାସ) ନିରୀକ୍ଷଣ କରିଥିଲେ। ଭାରତୀୟ ନୌସେନାର ଦୁଃସାହସିକ ସାମରିକ କୌଶଳ ଦେଖିବାକୁ ପେଣ୍ଠକଟାଠାରୁ ସିପଶରୁବାଲି ପର୍ଯ୍ୟନ୍ତ ସାତ କିମି ସମୁଦ୍ର ବେଳାଭୂମି ଲୋକାରଣ୍ୟ ହୋଇଥିଲା। ବୁଧବାର ପୁରୀରେ ନୌସେନା ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୌସେନାର ପରାକ୍ରମ ଦେଖିବେ। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ନୌସେନା ପକ୍ଷରୁ ପ୍ରାୟ ୨୦ ପ୍ରକାର ସାମରିକ କୌଶଳ ସହ ସେନା ବ୍ୟାଣ୍ଡ ଏବଂ ଆକର୍ଷଣୀୟ ପରେଡ ପ୍ରଦର୍ଶନ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବ୍ଲୁ ଫ୍ଲାଗ ବେଳାଭୂମିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ରାଷ୍ଟ୍ରପତିଙ୍କ ସମେତ ପ୍ରାୟ ଆଠ ହଜାର ନିମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ବେଳାଭୂମି ସମେତ ଆଖପାଖ ଅଞ୍ଚଳରେ ସାଧାରଣ ଲୋକଙ୍କ ବସିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବେଳାଭୂମିକୁ ସଂପୂର୍ଣ୍ଣ ଅବରୋଧମୁକ୍ତ କରାଯାଇଛି। ସମଗ୍ର ପୁରୀ ସହର ପୁଲିସ ଛାଉଣୀରେ ପରିଣତ ହୋଇଛି। ସୁରକ୍ଷା ଦାୟିତ୍ବରେ ୮୫ ପ୍ଲାଟୁନ ପୁଲିସ ଫୋର୍ସ, ୩୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ୩ ଶହ ପୁଲିସ ଅଧିକାରୀ ଏବଂ ତିନିଶହ ଲାଇଫ ଗାର୍ଡ ମୁତୟନ କରାଯାଇଛି। ୩ ଅତିରିକ୍ତ ପୁଲିସ ମହାନିର୍ଦେଶକଙ୍କ ସମେତ ୧୪ ଏସପି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ। ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ସେଠାରୁ ଦିନ ୧୧ ଟାରେ ବାହାରି ବଡ଼ଦାଣ୍ଡ ଦେଇ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପୁରୀ ରାଜଭବନରେ ଶ୍ରୀମତୀ ମୁର୍ମୁ ମଧ୍ୟାହ୍ନ ଭୋଜନ କରିବେ। ସେଠାରେ ପ୍ରାୟ ଦୁଇଘଣ୍ଟା ବିଶ୍ରାମ କରିବା ପରେ ଅପରାହ୍ଣ ଚାରିଟା ବେଳେ ବ୍ଲୁ ଫ୍ଲାଗ ବେଳାଭୂମିକୁ ଯାଇ ଭାରତୀୟ ନୌସେନା ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories