www.samajalive.in
Sunday, December 7, 2025
14.1 C
Bhubaneswar

ନବୀନଙ୍କ ପଞ୍ଚମ ପାଳିର ୪ବର୍ଷ ପୂର୍ତ୍ତି :୨୪ବର୍ଷର ନିରଙ୍କୁଶ ଶାସନ

ଭୁବନେଶ୍ବର : ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିର ଇଏ ଚତୁର୍ଥ ବର୍ଷ ପୂର୍ତ୍ତି। ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ଥିବା ଦଳ ବିଜେଡିକୁ କ୍ରମାଗତ ମିଳୁଛି ନିର୍ବାଚନ ସଫଳତା। ୨୦୦୦ରେ ହାତ ଧରାଧରି ହୋଇ ବିଜେପି-ବିଜେଡି ମେଣ୍ଟର ନେତୃତ୍ବ ନେଇଥିବା ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ନବୀନ ଏବେ ଜଣେ ଧୂରୀଣ, ବିଚକ୍ଷଣ ରାଜନେତା। ବିରୋଧୀ ଏବେ ବି ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ସକ୍ଷମ ହୋଇନାହାନ୍ତି। ସେମାନଙ୍କ ଭିତରେ ଦମ୍ଭ, ଏକତା, ପ୍ରତବଦ୍ଧତାକୁ ନବୀନ ମାପି ଗୋଟି ଚଳାଉଛନ୍ତି।
ଓଡ଼ିଶାରେ ସର୍ବାଧିକ ଶାସନ କ୍ଷମତାରେ ଥିବା କଂଗ୍ରେସ ୨୦୦୦ ପରଠୁ ଧରାଶାୟୀ ହେବା ପରେ ଆଉ ଉଠିପାରୁନାହିଁ। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ହାତକୁ ହାତ କାନ୍ଧକୁ କାନ୍ଧ ମିଳାଇ, ମିତ୍ରତା ସ୍ଥାପନ ସହ ମେଣ୍ଟ ସହଯୋଗୀ ଥିବା ବିଜେପି ୨୦୦୯ ପରଠୁ ଏହାର ନବୀନ ବିରୋଧୀ ରଣନୀତିକୁ ସେତେ ଶାଣିତ କରିବାରେ ସଫଳ ହୋଇପାରିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାରେ ଜାତୀୟସ୍ତରରେ ବିଜେପି ହାୱା ଜୁଟାଇ ଅଧିକାଂଶ ରାଜ୍ୟରେ କ୍ଷମତାକୁ ଆସିବାରେ ସଫଳ ହୋଇଥିଲେ ହେଁ ଓଡ଼ିଶା ରାଜ୍ୟ ବିଜେପି ସେ ସୁଯୋଗକୁ ସଫଳତାରେ ରୂପାନ୍ତରିତ କରିବାରେ ସଫଳ ହୋଇପାରିନି।
କ୍ଷମତାକୁ ଆସିବାଠୁ ଏପର୍ଯ୍ୟନ୍ତ ନବୀନଙ୍କ ପଛରେ ଯେ ବିପଦ ନଥିଲା ତାହା କୁହାଯିବା ଠିକ୍‌ ହେବନି। କିନ୍ତୁ ସେସବୁକୁ ସେ ନିଜର ପରାମର୍ଶଦାତା ଏକଦା ବିଜେଡି ପାଇଁ ଚାଣକ୍ୟ ଭାବେ କାମ କରୁଥିବା ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ। ନବୀନଙ୍କ ପାଇଁ ପ୍ରଥମ ବିପଦ ଥିଲେ ବିଜୟ ମହାପାତ୍ର। ଏକଦା ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ସବୁଠୁ ପ୍ରଭାବଶାଳୀ ମନ୍ତ୍ରୀ। ବିଜେଡିକୁ କ୍ଷମତାର ନିକଟତର କରାଇବାରେ ସମର୍ଥ ହୋଇଥିବା ବିଜୟ ସର୍ବଶକ୍ତିମାନ ହୋଇଯିବାର ଅଜଣା ଆତଙ୍କ ନବୀନଙ୍କ ପରାମର୍ଶଦାତାଙ୍କୁ ଅଣନିଃଶ୍ବାସୀ କରିଦେଇଥିଲା। ମାତ୍ର ତାଙ୍କୁ ଦଳରୁ ଏଭଳି ବିଦା କରାଗଲା ଯେ, ସେ ଅଦ୍ୟାବଧି ନିର୍ବାଚନ ସଫଳତା ହାସଲ କରିବାକୁ ସକ୍ଷମ ହୋଇପାରିନାହାନ୍ତି। ନବୀନ ତାଙ୍କ ଶାସନକାଳରେ ନଳିନୀ ମହାନ୍ତି, ଡା. ଦାମୋଦର ରାଉତଙ୍କ ପର୍ଯ୍ୟନ୍ତ କାହାରିକୁ ଛାଡ଼ିନାହାନ୍ତି। ଏସବୁ ଭିତରେ ରାମକୃଷ୍ଣ, ପଞ୍ଚାନନ, ପ୍ରଫୁଲ୍ଲ, ପ୍ୟାରୀମୋହନ, କମଳା, ବ୍ରଜକିଶୋର ଓ ପ୍ରଦୀପଙ୍କ ଭଳି ଏକାଧିକ ନେତା ଅଛନ୍ତି।
ନବୀନଙ୍କ ସଫଳତାର ଆଉ ଏକ ବିଶେଷ ଦିଗ ହେଲା ସେ ଦଳର ନେତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସହାୟକ ବା ପ୍ରଶାସନିକ ଅଧିକାରୀଙ୍କୁ ବିଶ୍ବାସକୁ ନିଅନ୍ତି। ଉଭୟଙ୍କ ଜରିଆରେ ଶାସନକୁ ଲୋକପ୍ରିୟ କରାଇବାରେ ନୀଳ ନକ୍ସା ଆଙ୍କି ଏହାର ରୂପାନ୍ତର ପ୍ରକ୍ରିୟା ଜାରି ରଖିଛନ୍ତି। ଉଭୟ ଦେବାଳୟ ଓ ବିଦ୍ୟାଳୟକୁ ନୂଆ ରୂପ ଦେବା, ବିପର୍ଯ୍ୟୟ ପରିଚାଳନାରେ ପ୍ରଶଂସା ସାଉଁଟିବା, ମେକ୍‌ଇନ୍‌ ଓଡ଼ିଶା ଜରିଆରେ ଶିଳ୍ପ ବିକାଶ ତ୍ବରାନ୍ବିତ କରିବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇଛନ୍ତି। ନବୀନଙ୍କ ସାମ୍ରାଜ୍ୟ ବିସ୍ତାରିତ କରିବାରେ ତାଙ୍କୁ ଟଙ୍କିକିଆ ଚାଉଳଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟଭତ୍ତା, କାଳିଆ/ବଳିଆ ସହାୟତା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସବୁଶ୍ରେଣୀ ପାଇଁ ଘୋଷିତ ଯୋଜନା ସର୍ବୋପରି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଏବଂ ଦୁର୍ନୀତିମୁକ୍ତ ଶାସନର ପ୍ରଚାର ଢେର ସାହାଯ୍ୟ କରିଛି। କିନ୍ତୁ ଏ ଯୋଜନାର ଅନେକ ଛିଦ୍ର ଥିଲେ ବି ବିରୋଧୀ ନବୀନଙ୍କ କୁର୍ତ୍ତାରେ ଦାଗ ସୃଷ୍ଟି କରିପାରିନାହାନ୍ତି। କ୍ଷମତାରେ ରହିବାରେ ନବୀନ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି।
ରାଜନୀତିର ଘଟଣାଚକ୍ରରେ କ୍ଷମତା ଦୀର୍ଘସ୍ଥାୟୀ ହେବା କିଛି ବିଚିତ୍ର ନୁହେଁ, କିନ୍ତୁ ଚିରସ୍ଥାୟୀ ନୁହେଁ। ତେବେ ବର୍ତ୍ତମାନର ଓଡ଼ିଶା ରାଜନୀତି ପାଣିପାଗରୁ ଯାହା ଲକ୍ଷ୍ୟ କରାଯାଉଛି ନବୀନ ରାଜନୀତିରେ ସକ୍ରିୟ ଥିବା ପର୍ଯ୍ୟନ୍ତ ସେ ନେତୃତ୍ବ ନେଉଥିବା ବିଜେଡିକୁ ପଛରେ ପକାଇ ଅନ୍ୟ କୌଣସି ଦଳ କ୍ଷମତାକୁ ଆସିବା ସହଜ ନୁହେଁ; କିନ୍ତୁ ଅସମ୍ଭବ ବି ନୁହେଁ। ଏକାକୀ ବିଜେଡିର ୧୪ବର୍ଷ ଭିତରେ ଶାସନ କଳର ମୁଖା ଖୋଲିବା ପାଇଁ ଖଣି ଓ ପାଣିରେ ଦୁର୍ନୀତି, ଅପାରଗତା, ଆଇନଶୃଙ୍ଖଳା, ମାଓ ସମସ୍ୟା ଆଦି ଏକାଧିକ ପ୍ରସଙ୍ଗ ମୁଣ୍ଡ ଟେକିଛି। କିନ୍ତୁ ଶାସକ ଦଳ ଓ ନବୀନ ସରକାରକୁ ଦୋହଲାଇ ଦେବା ପାଇଁ ଯେଉଁ ରଣନୀତି ଲୋଡ଼ା, ସେଥିପାଇଁ ବିରୋଧୀ କେତେ ପ୍ରସ୍ତୁତ?
ଏସବୁ ଭିତରେ ନବୀନ ତାଙ୍କ ରାଜନୈତିକ ଜୀବନର ସବୁଠୁ ବଡ଼ ଲଢ଼େଇର ସାମ୍ନା କରିବାକୁ ଯାଉଛନ୍ତି ୨୦୨୪ରେ। ବର୍ଷ ବର୍ଷ ଧରି ୨୪ବର୍ଷ ପ୍ରାୟ ଅଢ଼େଇ ଦଶନ୍ଧି କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏବଂ ୧୪ବର୍ଷ ଧରି କ୍ଷମତା ବାହାରେ ଥିବା ବିଜେପି ପାଇଁ ୨୦୨୪ ହେବ ଅଗ୍ନି ପରୀକ୍ଷାର ସମୟ। ଶାସକ-ବିରୋଧୀ ଭିତରେ ହେବ କଡ଼ା ମୁକାବିଲା। ଆଉ ଏ ନିର୍ବାଚନ ଫଳାଫଳ ହିଁ ଜଣାଇଦେବ ପ୍ରକୃତରେ ଓଡ଼ିଶା ରାଜନୀତିରେ କିଏ ଶକ୍ତିଶାଳୀ: ନବୀନଙ୍କ ବିଜେଡି ନା ବିରୋଧୀ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories