ହରିୟାଣା ବିଜେତା ; ଓଡ଼ିଶାକୁ କାଂସ୍ୟ
ଜାତୀୟ ଉପକନିଷ୍ଠ ମହିଳା ହକି ଚମ୍ପିଆନ୍ସିପ୍
ରାଉରକେଲା : ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ହକି ଇଣ୍ଡିଆ ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆୟୋଜିତ ୧୩ଶ ଜାତୀୟ ଉପକନିଷ୍ଠ ମହିଳା ହକି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ହରିୟାଣା ସ୍ବର୍ଣ୍ଣ, ଝାଡ଼ଖଣ୍ଡ ରୌପ୍ୟ ଓ ଓଡ଼ିଶା କାଂସ୍ୟ ପଦକ ଜିତିଛନ୍ତି। ରବିବାର ଫାଇନାଲରେ ହକି ହରିୟାଣା ୩-୨ ଗୋଲରେ ହକି ଝାଡଖଣ୍ଡକୁ ହରାଇ ଟାଇଟଲ ବଜାୟ ରଖିଛି। ହରିୟାଣାର ସଙ୍ଗୀତା କୁମାରୀ ୭, ଅଙ୍କିତା ମିଞ୍ଜ ୨୭ ଓ ମିନାକ୍ଷୀ ୩୬ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଝାଡଖଣ୍ଡ ପକ୍ଷରୁ ବୈଭ୍ୟା ୨୫ ଓ ୫୮ ମିନିଟ୍ରେ ୨ଟି ଗୋଲ ଦେଇଥିଲେ।
୩ୟ ସ୍ଥାନ ପାଇଁ ମ୍ୟାଚରେ ହକି ଆସୋସିଏସନ ଅଫ ଓଡ଼ିଶା ପେନାଲ୍ଟି ସୁଟ୍ଆଉଟ୍ ୧-୧ (୪-୩) ଗୋଲରେ ହକି ଉତ୍ତର ପ୍ରଦେଶକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି। ନିର୍ଦ୍ଧାରିତ ସମୟ ୧-୧ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ର ଆଶ୍ରୟ ନିଆଯାଇଥିଲା। ଏଥିରେ ଓଡ଼ିଶା ୪-୩ ଗୋଲରେ ବିଜୟୀ ହୋଇଥିଲା। ନିର୍ଦ୍ଧାରିତ ସମୟରେ ହକି ଉତ୍ତର ପ୍ରଦେଶ ପକ୍ଷରୁ ରେଶମି ହାକୱାର ୬ ମିନିଟ୍ରେ ଗୋଲ ଦେଇଥିବାବେଳେ ଓଡ଼ିଶା ପକ୍ଷରୁ ସୋନାଲୀ ଏକ୍କା ୪୩ ମିନିଟ୍ରେ ଗୋଲ ଦେଇ ବରାବର କରିଥିଲେ। ପେନାଲ୍ଟି ସୁଟ୍ଆଉଟ୍ରେ ଓଡ଼ିଶା ପକ୍ଷରୁ ତନୁଜା ଟପ୍ପୋ,ବନିତା ମିଞ୍ଜ,ଅମିଷା ଏକ୍କା ଓ ସୋନାଲି ଏକ୍କା ଗୋଲ ସ୍କୋର କରିଥିଲେ। ଓଡ଼ିଶା ସେମିଫାଇନାଲରେ ହକି ହରିୟାଣା ନିକଟରୁ ପେନାଲ୍ଟି ସୁଟ୍ଆଉଟ୍ ୧-୧(୩-୧) ଗୋଲରେ ପରାଜିତ ହୋଇଥିଲା। ଅତିଥି ଭାବେ କ୍ରୀଡ଼ା ବିଭାଗର ଓଏସ୍ଡି ସିଦ୍ଧାର୍ଥ ଶଙ୍କର ସାହୁ କୃତି ଦଳକୁ ପଦକ ପ୍ରଦାନ କରିଥିଲେ।
Comments are closed.