ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋହରୀ, ମକର ସଙ୍କ୍ରାନ୍ତି, ମାଘ ବିହୁ ଏବଂ ପୋଙ୍ଗଲ ପର୍ବ ଅବସରରେ ଦେଶ ତଥା ବିଦେଶର ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଏହି ପର୍ବଗୁଡ଼ିକ ଦେଶର ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ ତଥା ବିବିଧତା ମଧ୍ୟରେ ଏକତାର ପ୍ରତୀକ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପର୍ବ ଅବସରରେ ଲୋକମାନେ ପବିତ୍ର ନଦୀରେ ସ୍ନାନ କରନ୍ତି ଏବଂ ଦାନ ସମ୍ବନ୍ଧୀୟ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟ କରନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶରେ ଭିନ୍ନ ଭିନ୍ନ ରୂପରେ ପାଳନ କରାଯାଉଥିବା ଏହି ପର୍ବଗୁଡ଼ିକ ସାମାଜିକ ସୌହାର୍ଦ୍ଦ୍ୟ, ଏକତା ଏବଂ ଭାଇଚାରା ବୃଦ୍ଧି କରିଥାଏ।
ଲୋକସଭା ବାଚସ୍ପତି ଓମ ବିର୍ଲା ଲୋହରୀ ଅବସରରେ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ବିର୍ଲା କହିଛନ୍ତି ଯେ ଏହି ଶୁଭ ଉତ୍ସବ ସମସ୍ତଙ୍କ ଜୀବନରେ ସମୃଦ୍ଧି ଏବଂ ସମସ୍ତ ପରିବାର ପାଇଁ ସୁଖ ଆଣିଦେଉ। ଶ୍ରୀ ବିର୍ଲା ଏହି ପର୍ବ ଲୋକମାନଙ୍କ ମଧ୍ୟରେ ପ୍ରେମ, ସୁଖ ଏବଂ ସୌହାର୍ଦ୍ଦ୍ୟର ଭାବନା ଭରିଦେଉ ବୋଲି କାମନା କରିଛନ୍ତି।



