ଚେନ୍ନାଇ: ଚନ୍ଦ୍ରଯାନ-୨ ଉତ୍କ୍ଷେପଣର ପ୍ରାୟ ୩ମାସ ପରେ ଲ୍ୟାଣ୍ଡର ‘ବିକ୍ରମ’ର ଭଗ୍ନାବଶେଷ ଚନ୍ଦ୍ରପୃଷ୍ଠରେ ଠାବ ହୋଇଛି। ବିକ୍ରମ ଯେଉଁ ସ୍ଥାନରେ କ୍ରାଶ୍ ଲାଣ୍ଡିଂ କରିଥିଲା ତାହାର ୭୫୦ ମିଟର ଦୂରରେ ଚନ୍ଦ୍ରପୃଷ୍ଠରେ ଏହାର ଭଗ୍ନାବଶେଷ ପଡ଼ିଥିବା ନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଫଟୋ ଜାରି କରାଯାଇଛି। ତେବେ ଏହି ଭଗ୍ନାଂଶ ଠାବ କରିବା ପଛରେ ଜଣେ ଭାରତୀୟ ମେକାନିକାଲ ଇଞ୍ଜିନିୟରଙ୍କ ବଡ଼ ଭୂମିକା ରହିଛି। ତାଙ୍କ ସୂଚନା ଆଧାରରେ ନାସା ବିକ୍ରମର ଭଗ୍ନାବଶେଷ ଠାବ କରିବାରେ ସଫଳ ହୋଇଛି। ଏହା ପରେ ନାସା ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି।
ଏହି ଯୁବ ଇଞ୍ଜିନିୟର ଜଣକ ହେଲେ ଚେନ୍ନାଇର ଶନମୁଗା ସୁବ୍ରମଣ୍ୟମ। ସୁବ୍ରମଣ୍ୟମ ନାସାର ଫଟୋଗୁଡ଼ିକୁ ଅନୁଧ୍ୟାନ ଏବଂ ବିଶ୍ଳେଷଣ କରି ବିକ୍ରମର ପତ୍ତା ଲଗାଇବାରେ ସଫଳ ହୋଇଛନ୍ତି। ସୁବ୍ରମଣ୍ୟମ ଜଣେ ମେକାନିକାଲ ଇଞ୍ଜିନିୟର ଏବଂ କମ୍ପ୍ୟୁଟର ପ୍ରୋଗ୍ରାମର ଅଟନ୍ତି। ସେ ଲେନୋସ ଇଣ୍ଡିଆ ଟେକ୍ନୋଲୋଜି ସେଣ୍ଟରରେ କାମ କରୁଛନ୍ତି। ମଦୁରାଇରେ ରହୁଥିବା ସୁବ୍ରମଣ୍ୟମ ଏହା ପୂର୍ବରୁ କଗ୍ନିଜାଣ୍ଟରେ ପ୍ରୋଗ୍ରାମର ଆନାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ।
ସୁବ୍ରମଣ୍ୟମଙ୍କ କହିବା ଅନୁସାରେ, ସେ ନାସାର ଲୁନାର ରିକନେନ୍ସ ଅର୍ବିଟର(ଏଲଆରଓ) ଦ୍ବାରା ସେପ୍ଟେମ୍ବର ୧୭, ଅକ୍ଟୋବର ୧୪ ଓ ୧୫ ଏବଂ ନଭେମ୍ବର ୧୧ରେ ଯେଉଁ ଫଟୋ ଉତ୍ତୋଳନ କରାଯାଇଥିଲା ତାହାକୁ ନିରୀକ୍ଷଣ କରିଥିଲେ। ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ସେ ଫଟୋଗୁଡ଼ିକୁ ଅନୁଧ୍ୟାନ କରିବା ପରେ ବିକ୍ରମର ଭଗ୍ନାବଶେଷ ଠାବ କରିଥିଲେ। ବିକ୍ରମର ଭଗ୍ନାବଶେଷ ଠାବ କରିବା ପରେ ସୁବ୍ରମଣ୍ୟମ ଏ ସମ୍ପର୍କରେ ନାସାକୁ ଅବଗତ କରାଇଥିଲେ। ଏହା ପରେ ନାସା ପକ୍ଷରୁ କିଛି ଦିନ ପାଇଁ ସୁବ୍ରମଣ୍ୟମଙ୍କ ତଥ୍ୟର ଅନୁଧ୍ୟାନ କରାଯାଇଥିଲା ଏବଂ ଶେଷରେ ଏହାକୁ ନିଶ୍ଚିତ କରାଯାଇଥିଲା। ନାସାର ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ(ଏଲଆରଓ ମିଶନ) ଜନ୍ କେଲର ସୁବ୍ରମଣ୍ୟମଙ୍କୁ ଇ-ମେଲ୍ କରିଥିଲେ। ଆମକୁ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ ଠାବ କରିବା ନେଇ ସୂଚନା ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ବୋଲି କେଲର ଉଲ୍ଲେଖ କରିଥିଲେ। କେଲର ଆହୁରି କହିଥିଲେ ଯେ, ଆମ ଟିମ୍ ସ୍ପଷ୍ଟ କରୁଛି ଯେ ଲ୍ୟାଣ୍ଡିଂ ସ୍ଥାନର ପୂର୍ବ ଏବଂ ପରବର୍ତ୍ତୀ ସମୟର ଫଟୋରେ ପାର୍ଥକ୍ୟ ରହିଛି। ଆପଣଙ୍କଠାରୁ ସୂଚନା ମିଳିବା ପରେ ଟିମ୍ ଉକ୍ତ ଅଞ୍ଚଳକୁ ଅଧିକ ଛାନବିନ୍ କରିଛି ଏବଂ ଏହା ଆଧାରରେ ଘୋଷଣା କରାଯାଉଛି ଯେ, ନାସା ଏବଂ ଏଏସୟୁ ପେଜରେ ଆପଣଙ୍କୁ ଏହି ଅନୁସନ୍ଧାନ ପାଇଁ ଶ୍ରେୟ ଦିଆଯାଉଛି।



