ଡାକ୍ତରଖାନାରେ କରୁଣାଙ୍କୁ ଭେଟିଲେ ନାଇଡୁ

0

ଚେନ୍ନଇ : ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଡିଏମ୍‍କେ ମୁଖ୍ୟ ତଥା ତାମିଲନାଡରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‍ କରୁଣାନିଧିଙ୍କୁ ରବିବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଭେଟିଛନ୍ତି। ଏହି ଅବସରରେ ସେ କରୁଣାନିଧିଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍‍ ଓ ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଏନ ମଧ୍ୟ କରୁଣାନିଧିଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ପ୍ରିୟ ନେତା କରୁଣାନିଧିଙ୍କ ଆରୋଗ୍ୟ କାମନା କରି ହଜାର ହଜାର ସଂଖ୍ୟାରେ ଡିଏମ୍‍କେ ସମର୍ଥନ ଡାକ୍ତରଖାନା ବାହାରେ ପ୍ରାର୍ଥନା କରିଛନ୍ତି। କରୁଣାନିଧି ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାର ପ୍ରଥମ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି। ରବିବାର କରୁଣାନିଧିଙ୍କ ଟ୍ୱିଟରରେ ଏହି ଫଟୋ ପ୍ରକାଶ ପାଇଛି। ଫଟୋରେ କରୁଣାନିଧିଙ୍କ ପାଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ତାମିଲନାଡୁ ରାଜ୍ୟପାଳ ବନୱରଲାଲ ପୁରୋହିତ, ଡିଏମ୍‍କେର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୁଅ ଏମ୍‍କେ ଷ୍ଟାଲିନ ଓ ଝିଅ ତଥା ରାଜ୍ୟସଭା ସାଂସଦ କନିମୋଝି ଉପସ୍ଥିତ ଥିବା ଦେଖାଯାଇଛି। କରୁଣାନିଧି ଏବେ ଚେନ୍ନଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇଦିନ ହେଲା ସେ ଏଠାରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Leave A Reply