ସମସ୍ତେ ବଞ୍ଚିବାପାଇଁ ପରିବେଶକୁ ସୁରକ୍ଷିତ ଓ ସୁସ୍ଥ ରଖିବାକୁ ହେବ
ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ , ୧୦ ଜଣଙ୍କୁ ‘ପ୍ରକୃତିବନ୍ଧୁ’ ପୁରସ୍କାର
ନବରଙ୍ଗପୁର: ନବରଙ୍ଗପୁର ବନଖଣ୍ଡ ବିଭାଗ ପକ୍ଷରୁ ଚରକବନ ଠାରେ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇଥିଲେ। ପୂର୍ବ ପୁରୁଷମାନେ ବନ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିଲେ ଓ ଜଙ୍ଗଲକୁ ବଞ୍ଚାଇ ରଖିଥିଲେ। ଏବେ ଅବିଶ୍ୟକ ଠାରୁ ଅଧିକ ଗଛ କଟାଯାଉଥିବାରୁ ପରିବେଶ ପରିବର୍ତ୍ତନ ହୋଇଛି। ବର୍ଷା, ଶୀତ ଓ ଖରା ଠିକ ଭାବେ ହେଉନି ବୋଲି କହିଥିଲେ। ସମ୍ମାନିତ ଅତିଥି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ବାୟୁ, ମାଟି ଓ ପବନ ଦ୍ୱାରା ଜୀବ ଜଗତ ରହିଛି। ସମସ୍ତେ ବଞ୍ଚିବାପାଇଁ ପରିବେଶକୁ ସୁରକ୍ଷିତ ଓ ସୁସ୍ଥ ରଖିବାକୁ ହେବ। ନିଜ ସ୍ୱାର୍ଥ ପାଇଁ ସମସ୍ତେ ପରିବେଶକୁ ଦୂଷିତ କରୁଛନ୍ତି। ତେଣୁ ଏହିପ୍ରତି ଜନ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଜିଲାପାଳ ଡ଼ଃ.କମଳ ଲୋଚନ ମିଶ୍ର ଯୋଗଦେଇ ପରିବେଶ ସନ୍ତୁଳନରେ ମଣିଷ ହିଁ ଅନ୍ତରାୟ ସୃଷ୍ଟି କରିଛି। ମଣିଷ ସମେତ ଜୀବଜନ୍ତୁ ଓ ଗଛପତ୍ର ରହିଛି।
ତେବେ ବଞ୍ଚିବାପାଇଁ ପରିବେଶ ନଷ୍ଟ କମ କରିବା, ପରିବେଶକୁ ଚାପ ନଦେଇ ବଞ୍ଚିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ଓ ଗଛ ଚାରା ଲଗାଇବା ଉପରେ ଗୁରୁତ୍ବଦେଇଥିଲେ। ସମସ୍ତେ ଅକ୍ସିଜେନ ଗଛ ଲଗାଇବାକୁ କହିଥିଲେ। ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା ବିଶ୍ୱରପରିବେଶ ସମ୍ପର୍କରେ ଗୁଗୁଲ, ଇଣ୍ଟରନେଟରେ ସବୁ ଜାଣିହେଉଛି। ପରିବେଶ ସୁରକ୍ଷାର ଆଲୋଚନା, ପର୍ୟ୍ୟାଲୋଚନା ଓ ସଚେତନତା ସହ ଯୋଜନା କରିବାକୁ କହିଥିଲେ। ପ୍ରକୃତିକୁ ବଞ୍ଚିବାକୁ ହେବ। ମଣିଷ ବଢୁଛି, ଗଛ କମୁଛି। ତେଣୁ ଶତଚେଷ୍ଟା କରି ଚାରାରୋପଣ କରି ପରିବେଶକୁ ସନ୍ତୁଳନ କରିବାକୁ ହେବ ବୋଲି କହିଥିଲେ। ଅତିରିକ୍ତ ବନ ସଂରକ୍ଷକ ଧନୁର୍ଯ୍ୟୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ଜିଲାର ଦଶଟି ବ୍ଲକର ୧୦ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଥିଲା। ନବରଙ୍ଗପୁର ବ୍ଲକର ଅଭିଳାଷ କୁମାର ନାୟକ, ତେନ୍ତୁଳିଖୁଣ୍ଟି ବ୍ଲକ ବିଦ୍ୟାଧର ନାୟକ, ଡ଼ାବୁଗାଁ ବ୍ଲକ ଜଗନ୍ନାଥ ଗୌଡ଼, ପାପଡାହାଣ୍ଡି ବ୍ଲକ ଡମୁ ଭତ୍ରା, ରାଇଘର ବ୍ଲକ ନକୁଳ ଧାରୁଆ, ଉମରକୋଟ ବ୍ଲକ ଦେବେନ୍ଦ୍ରନାଥ ପଣ୍ଡା, ଝରିଗାଁ ବ୍ଲକ ଅଞ୍ଜନ କୁମାର ଜେନା, ଚନ୍ଦାହାଣ୍ଡି ରଞ୍ଜନ କୁମାର ନାୟକ , ନନ୍ଦାହାଣ୍ଡି ପ୍ରମୋଦ କୁମାରୁ ଦାଶ ଓ କୋଷଗୁମୁଡ଼ା ବ୍ଲକର ଭଗତ ଭତ୍ରା ପ୍ରମୁଖ ମାନପତ୍ର ସହ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସର ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସହକାରୀ ରେଞ୍ଜର ତଡିତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.