ନବରଙ୍ଗପୁର ଜିଲାର ୮୮୧ ଟି ଗାଁ ବାଲ୍ୟବିବାହ ମୁକ୍ତ
ନବରଙ୍ଗପୁର: ନବରଙ୍ଗପୁର ଜିଲାର ୮୮୧ଟି ଗାଁ ବାଲ୍ୟବିହାର ମୁକ୍ତ ହୋଇଛି। ନବରଙ୍ଗପୁର ଜିଲାରେ ବାଲ୍ୟବିବାହକୁ ରୋକିବା ପାଇଁ ଉଲ୍ଲେଖନୀୟ ଭାବରେ କାର୍ଯ୍ୟ କରିଥିବା ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଜିଲାପାଳ ଡଃ. କମଳ ଲୋଚନ ମିଶ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ବାଲ୍ୟ ବିବାହ ପରି ସାମାଜିକ ବ୍ୟାଧିକୁ ରୋକିବା ପାଇଁ ଜିଲା ପ୍ରଶାସନ ଓ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନେ ମିଳିତ ଭାବରେ ଗ୍ରାମ ସ୍ତରରେ ବ୍ୟାପକ ଭାବରେ ଜନ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି।
ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ଜିଲା ପ୍ରଶାସନ, ୟୁନିସେଫ, ଆକ୍ସନଏଡ ଓ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟ ମାନଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ବୈଠକରେ ଜିଲାପାଳ ଡ. ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ଜିଲାର ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି।
ପ୍ରଶାସନ ଓ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲାରେ ସମସ୍ତ ଶିଶୁମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ବୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ବାସ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଜିଲା ପ୍ରଶାସନ , ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ୟ୍ୟକ୍ରମ ଚାଲୁଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜିଲାରେ ୪୫୦ ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୮୮୧ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ସୂଚନା ଦେଇଥିଲେ। ଆକ୍ସନଏଡ ସଂସ୍ଥାର ଜିଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଜିଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ୟ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ। ଏହାପରେ ଜିଲପାଳଙ୍କର ଅନୁରୋଧରେ ଉପସ୍ଥିତ ଥିବା ୨୮ ଟି ସମ୍ପ୍ରଦାୟର ମୁଖ୍ୟମାନେ ଜିଲାରେ ବାଲ୍ୟ ବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେଇଛନ୍ତି ଓ ଆଗାମୀ ଦିନର କାର୍ୟ୍ୟପନ୍ଥା ଉପରେ ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ , ସହାୟକ ଆରକ୍ଷୀ ବବିତା ତ୍ରିପାଠୀ, ମଣ୍ଡଳ ଶ୍ରମଆୟୁକ୍ତ କୁବେର ବେହେରା, ଜିଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଡିପିହେଚେଓ ଡାକ୍ତର ମଳୟ କୁମାର ତ୍ରିପାଠୀ , ଜିଲା ନିଯୁକ୍ତି ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ, ସହାୟକ ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ , ବାଲ୍ୟବିବାହ ନିଷେଧ ଅଧିକାରୀ, ଏସ. ଗୀତା, ସୁନିତା ଦେବୀ ତ୍ରିପାଠୀ, ଗୀତା ମହାରଣା, ଶୈଳେନ୍ଦ୍ରୀ ମହାନନ୍ଦ, ଯମୁନା ଭତ୍ରା, ସଞ୍ଜୁକ୍ତା ବେହେରା, ଗୀତା ମିଶ୍ର, ବିରଜା ମୋହିନୀ ପାଙ୍ଗି, ସୁରମା ମହାପାତ୍ର , ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ, ୱାନଷ୍ଟପ ସେଣ୍ଟର ପରିଚାଳିକା ରଞ୍ଜିତା ସାହୁ ଓ ଜିଲାରେ ଥିବା ବିଭିନ୍ନ ସମ୍ପ୍ରଦାୟର କର୍ମକର୍ତ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟ ବିବାହ ଉପରେ ନିଜର ମତାମତ ପ୍ରଦାନ କରିଥିଲେ। ସହାୟକ ସମାଜ ମଙ୍ଗଳ ଅଧିକାରୀ ମଧୁସୂଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.