ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସରକୁ ନାକ ଦଳର ପରିଦର୍ଶନ
କେନ୍ଦୁଝରଗଡ଼, : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦାକୁ ୩ଦିନ ପାଇଁ ଗସ୍ତରେ ଆସିଥିବା ୫ଜଣିଆ ନାକ୍ ଟିମ୍ର ୨ଜଣ ସଦସ୍ୟ ଏହାର ଦ୍ୱିତୀୟ କ୍ୟାମ୍ପସ୍କୁ ପରିଦର୍ଶନ କରିଛନ୍ତି । ଶ୍ରୀ ଶଙ୍କରାଚାର୍ଯ୍ୟ ବିଶ୍ୱବିଦ୍ୟାଳୟ କେରଳର ସଂସ୍କୃତ ବିଭାଗ ପ୍ରଫେସର ଡକ୍ଟର ଫ୍ରାନ୍ସିସ୍ ଏପି ଆରକଳ୍ପ ଓ ଗୁଜୁରାଟ ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର ଭରତ ରାମାନୁଜ କେନ୍ଦୁଝର ପରିସର ପରିଦର୍ଶନ କରିଛନ୍ତି ।
ଇଂରାଜୀ ବିଭାଗ ସହକାରୀ ପ୍ରଫେସର ଶାଶ୍ୱତ ପଣ୍ଡା ୫ଟି ବିଭାଗର ତଥ୍ୟ ଉପସ୍ଥାପନା କରିଥିବା ବେଳେ ନିଜ ନିଜ ବିଭାଗର କାର୍ଯ୍ୟାବଳୀ ମଧ୍ୟ ବିଭାଗୀୟ ପ୍ରଫେସରମାନେ ଉପସ୍ଥାପନ କରି ଶିକ୍ଷା ବ୍ୟବସ୍ଥା, ଗବେଷଣା କାର୍ଯ୍ୟ, ସେମିନାର, ଛାତ୍ର ଛାତ୍ରୀଙ୍କ ନିଯୁକ୍ତି ହାର, ନେଟ୍/ଜେ ଆର୍ ଏଫ୍ ପାଇଥିବା ବିବରଣୀ, ପୁସ୍ତକ ପ୍ରକାଶନ ଆଦିର ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକଙ୍କ ପରେ ନାକ୍ ଦଳର ସଦସ୍ୟମାନେ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ ସହ ଛାତ୍ରୀନିବାସ ପରିଦର୍ଶନ କରିଥିଲେ । ଛାତ୍ରୀନିବାସରେ ଅନ୍ତେବାସୀଙ୍କ ସହ ଆଲୋଚନା କାଳରେ ରହଣୀ ବ୍ୟବସ୍ଥା, ପରିଚାଳନା, ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ନିର୍ଦ୍ଦେଶକଙ୍କ ଠାରୁ କ୍ୟାମ୍ପସ ପରିଚାଳନା, ଅଣଶିକ୍ଷକ କର୍ମଚାରୀ ଓ ନିଯୁକ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।



