କଂଗ୍ରେସରୁ କିରନ ରେଡ୍ଡିଙ୍କ ଇସ୍ତଫା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ କିରନ କୁମାର ରେଡ୍ଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି। ରେଡ୍ଡି ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୦ ନଭେମ୍ବର ୨୫ରୁ ୨୦୧୪ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୪ ଜୁନ୍ ୨ରେ ଆନ୍ଧ୍ରପ୍ରଦେଶର ବିଭାଜନ କରାଯାଇ ତେଲଙ୍ଗାନା ରାଜ୍ୟ ଗଠନ ହୋଇଥିଲା। ୨୦୧୪ରେ ରେଡ୍ଡି ନିଜସ୍ବ ଆଞ୍ଚଳିକ ଦଳ ଗଠନ କରିଥିଲେ। ମାତ୍ର ୨୦୧୪ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଥିଲା। ପରେ ସେ ରାଜନୀତିରେ ନିରବ ରହିଥିଲେ। ୨୦୧୮ ଜୁଲାଇରେ ସେ ପୁନର୍ବାର କଂଗ୍ରେସକୁ ଫେରିଥିଲେ। କଂଗ୍ରେସରେ ଯୋଗ ଦେବା ସତ୍ତ୍ବେ ମଧ୍ୟ ସେ ରାଜନୀତିରେ ନିଷ୍କ୍ରିୟ ରହିଥିଲେ। ଏବେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। କିରନ ରେଡ୍ଡିଙ୍କ ପିତା ଅମରନାଥ ରେଡ୍ଡି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସରକାରରେ ମନ୍ତ୍ରୀ ଥିଲେ। କିରନ ରେଡ୍ଡି ବାଲ୍ମିକୀପୁରମ ଆସନରୁ ବିଧାନସଭାକୁ ୧୯୮୯, ୧୯୯୯ ଓ ୨୦୦୪ରେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ପିଲେରୁ ଆସନରୁ ବିଜୟୀ ହୋଇଥିଲେ। ରେଡ୍ଡି ଆନ୍ଧ୍ରପ୍ରଦେଶର ୧୩ ତମ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ।

Comments are closed.