ଦେବର୍ଷି ନାରଦ ଓ ଋଷି ଅଙ୍ଗିରା ଏକତ୍ର ଆଳାପ ଆଲୋଚନା କରି ଯାଉଥାନ୍ତି। ଦୁହିଁଙ୍କ ନଜରରେ ପଡ଼ିଥିଲା ଏକ କରୁଣ ଦୃଶ୍ୟ- କୁକୁରଟିଏ ଅଇଁଠା ପତ୍ର ଖାଉଥିଲାବେଳେ ଗୃହକର୍ତ୍ତା ଖୁବ୍ ଜୋର ପାହାର ବସାଇଥିଲେ। ବିଚରା କୁକୁରଟି ଠେଙ୍ଗା ପାହାର ପାଇ ଚିତ୍କାର କରି ସ୍ଥାନଛାଡ଼ି ପଳାଇ ଯାଇଥିଲା। କିଛି ଦୂରରେ ରହି ନିରୀକ୍ଷଣ କରିଥିଲା ପିଟିଥିବା ବ୍ୟକ୍ତିଜଣକ ସେଠାରେ ଅଛନ୍ତି କି ଚାଲିଗଲେଣି। ଜଠର ଜ୍ବାଳା ତ ପଶୁ, ମଣିଷ, ସମସ୍ତଙ୍କ ପାଇଁ ସମାନ, କୌଣସି ପ୍ରକାରେ ପ୍ରଶମନ କରିବାକୁ ହେବ। କାହାରିକୁ ଦେଖିବାକୁ ନପାଇ ପୁନଃ ସେଇ ସ୍ଥାନକୁ ଯାଇ ଖାଇବାକୁ ଆରମ୍ଭ କଲାମାତ୍ରେ ନିକଟରେ ଯଷ୍ଟିସହ ଛପି ଯାଇଥିବା ଗୃହକର୍ତ୍ତା ପୁନଃ ଶକ୍ତ ଦୁଇ ତିନି ପାହାର ପକାଇଥିଲେ। ଏଥର ଗୋଡ଼ରେ ମାଡ଼ ବସିବାରୁ ଆର୍ତ୍ତଚିତ୍କାର ପୂର୍ବକ କୁକୁରଟି ଛୋଟେଇ ଛୋଟେଇ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲା। କିଛି ଦୂରକୁ ଯାଇ ଅତି ବିକଳ ଭାବରେ ଅଇଁଠା ପତ୍ର ଦିଗରେ ଅନାଇ ରହିଥାଏ।
ଏହି ଦୃଶ୍ୟ ଦେଖି ନାରଦ ହସି ଦେଇଥିଲେ। ଋଷି ଅଙ୍ଗିରା କୁକୁରର ଏଭଳି କରୁଣ ଦୁର୍ଗତି ଦେଖି ସମ୍ବେଦନଶୀଳ ହେବା ପରିବର୍ତ୍ତେ ହସିବାର କାରଣ ପଚାରିଥିଲେ କୌତୂହଳୀ ହୋଇ। ନାରଦ ଉତ୍ତରରେ କହିଥିଲେ- ‘ଋଷିବର ! ମାଡ଼ ଖାଇଥିବା କୁକୁରଟି ପୂର୍ବଜନ୍ମରେ ମହା କଞ୍ଜୁଷ୍ ବ୍ୟକ୍ତି ଥିଲା। ଜୀବନସାରା ଅନେକ ଧନ ଉପାର୍ଜନ କଲା, ହେଲେ ଏସବୁ ପରକୁ ଉତ୍ପୀଡନ କରି ହାସଲ କରିଥିଲା। ଦାନଧ୍ୟାନ ସମ୍ପୂର୍ଣ୍ଣ ଭୁଲି ଯାଇଥିଲା। ଅନେକଙ୍କୁ ଶୋଷଣ କରି ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ବସିଥିଲା। ଏବେ ତାକୁ ପିଟୁଥିବା ବ୍ୟକ୍ତି ଥିଲେ ତା’ର ପୁଅ ଯାହା ପାଇଁ ସେ ସାରା ଜୀବନ ନାନା ଅନ୍ୟାୟ, ଅନୀତି କରି ଧନ ଉପାର୍ଜନରେ ମଜ୍ଜି ରହିଥିଲା। ଆଜି ମୁଠାଏ ଖାଦ୍ୟ ବି ଖାଇବା ପାଇଁ ସେ ଅସମର୍ଥ। ଅଇଁଠା ପତ୍ରରୁ କ୍ଷୁଧା ମେଣ୍ଟାଇବା ପାଇଁ ତାକୁ ସେହି ପୁଅ ହାତରୁ ଲାଠି ପ୍ରହାର ଖାଇବାକୁ ପଡ଼ୁଛି। ସେଥିରେ ବି ଲକ୍ଷ୍ୟପୂରଣ ହୋଇପାରୁନି। କର୍ମଫଳର ଏହି ଖେଳ ଦେଖି ମୋତେ ହସ ଲାଗିଲା।’
ବାସ୍ତବତା ଏହା ଯେ ମନୁଷ୍ୟ ଆପଣା କର୍ମ ଫଳ ଭୋଗ କରିଥାଏ- ଶୁଭ ହେଉ ଅଥବା ଅଶୁଭ, କର୍ମଫଳ ଭୋଗିବା ଅବଶ୍ୟମ୍ଭାବୀ। ଏ ଜନ୍ମରେ, ଅର୍ଥାତ ଗୋଟିଏ ଜନ୍ମରେ କର୍ମଫଳ ଭୋଗ ନ ହେଲେ ଜନ୍ମ-ଜନ୍ମାନ୍ତରରେ ଭୋଗ କରିବାକୁ ହୋଇଥାଏ- ଏହା ଧ୍ରୁବ ସତ୍ୟ। ବିଡ଼ମ୍ବନା ଏହା ଯେ ଗର୍ବୋନ୍ମତ୍ତ ମଣିଷ କର୍ମଫଳକୁ ପାସୋରି ଯାଇ ଅତୀବ ନିନ୍ଦନୀୟ କର୍ମରେ ଲିପ୍ତ ରହୁଛି।




