ଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି। ଏହି ପବିତ୍ର ଅବସରରେ ବିଶ୍ୱଜନନୀ ଜଗତ୍ମାତା ମହାକାଳୀଙ୍କର ଉପାସନାରେ ମଗ୍ନ ଧରାନିବାସୀ। ଅମାବାସ୍ୟାର ଘନ ଅନ୍ଧକାରକୁ ଚିରି ଦୀପାବଳି ଆଲୋକର ବିଜୟ ଘୋଷଣା କରୁଥିବାବେଳେ, ମା କାଳୀ ହେଉଛନ୍ତି ସେହି ଆଦ୍ୟାଶକ୍ତିଙ୍କର ଅତ୍ୟନ୍ତ ରହସ୍ୟମୟ ରୂପ, ଯିଏ କାଳର ସ୍ୱରୂପ ଓ ସମସ୍ତ ସୃଷ୍ଟିର ଆରମ୍ଭ ତଥା ଶେଷ। ତାଙ୍କର ରୂପ ବାହ୍ୟତଃ ଭୟଙ୍କର ମନେ ହେଉଥିଲେ ମଧ୍ୟ, ଏହି ଭୟଙ୍କରତା ଭିତରେ ଲୁଚି ରହିଛି ଅପାର କରୁଣା ଏବଂ ମୁକ୍ତିର ମହାନ୍ ଦର୍ଶନ।
‘କାଳୀ’ ଶବ୍ଦଟି ‘କାଳ’ (ସମୟ) ରୁ ଉତ୍ପନ୍ନ। ମା କାଳୀ ସମୟର ସୀମାକୁ ଅତିକ୍ରମ କରିଥିବା ମହାଶକ୍ତି। ତାଙ୍କର କଳା ବର୍ଣ୍ଣ ଏହି କଥାକୁ ଦର୍ଶାଏ ଯେ ସେ ସମସ୍ତ ରୂପ, ବର୍ଣ୍ଣ ଏବଂ ଗୁଣରୁ ଊର୍ଦ୍ଧ୍ବ୍ୱରେ। ଯେପରି ସମସ୍ତ ରଙ୍ଗ ଶେଷରେ କଳାରେ ବିଲୀନ ହୁଏ, ସେହିପରି ସମସ୍ତ ସୃଷ୍ଟି ଓ ସଂସାର ଶେଷରେ ମା’ଙ୍କଠାରେ ହିଁ ଲୀନ ହୋଇଥାଏ। ସେ ହେଉଛନ୍ତି ବ୍ରହ୍ମାଣ୍ଡୀୟ ଶୂନ୍ୟତାର ପ୍ରତୀକ।
ମାଆଙ୍କ ରୂପ ଅତ୍ୟନ୍ତ ପ୍ରତୀକାତ୍ମକ। ନିଜ ସ୍ୱାମୀ ଶିବଙ୍କ (ଶବ ରୂପରେ) ଉପରେ ଠିଆ ହେବା ଦର୍ଶାଏ ଯେ ଶକ୍ତି (କାଳୀ) ବିନା ଶିବ (ଚେତନା) କେବଳ ଏକ ଶବ ସଦୃଶ; କ୍ରିୟାଶୀଳତା ହିଁ ଜଗତର ସଞ୍ଚାଳକ। ତାଙ୍କ ଗଳାରେ ଥିବା ନରମୁଣ୍ଡମାଳା ମଣିଷର ଅହଂକାର, ମୋହମାୟା ଏବଂ ଖରାପ ପ୍ରବୃତ୍ତିଗୁଡ଼ିକର ବିନାଶକୁ ସୂଚାଏ। ଏହି ପ୍ରତୀକବାଦର ଅର୍ଥ ହେଉଛି, ମା କାଳୀ କେବଳ ବାହ୍ୟ ଶତ୍ରୁଙ୍କୁ ନୁହେଁ, ବରଂ ଆମ ଭିତରେ ଥିବା ଅଜ୍ଞାନତା ଏବଂ ମୃତ୍ୟୁର ଭୟକୁ ନାଶ କରନ୍ତି।
ତାଙ୍କ ରୂପ ଭୟାନକ ହୋଇଥିଲେ ହେଁ ମା କାଳୀ ତାଙ୍କ ଭକ୍ତମାନଙ୍କ ପାଇଁ ସବୁଠାରୁ କରୁଣାମୟୀ ମାତା। ସେ ସମସ୍ତ ପ୍ରକାର ଭୟରୁ ମୁକ୍ତି ଦିଅନ୍ତି ଏବଂ ତାଙ୍କର ଉପାସନା କରୁଥିବା ସାଧକଙ୍କୁ ସାଂସାରିକ ମୋହରୁ ମୁକ୍ତି ପ୍ରଦାନ କରନ୍ତି। ପରମହଂସ ରାମକୃଷ୍ଣଙ୍କ ଭଳି ମହାନ ସାଧକମାନେ ତାଙ୍କୁ ସମସ୍ତ ଜୀବନର ମୂଳ ତତ୍ତ୍ୱ ଭାବରେ ଦେଖି ପ୍ରେମର ସହିତ ପୂଜା କରିଛନ୍ତି। ତାଙ୍କର ଉପାସନା ଆମକୁ ଶିଖାଏ ଯେ ଜୀବନର ଅନ୍ଧକାରମୟ ଦିଗଗୁଡ଼ିକୁ ସାହସର ସହ ସାମ୍ନା କରିବା ଏବଂ ଅହଂକାରକୁ ତ୍ୟାଗ କରିବା ଦ୍ୱାରା ହିଁ ଆମେ ପ୍ରକୃତ ଆଧ୍ୟାତ୍ମିକ ଆଲୋକ ଓ ମାତୃତ୍ୱର ସର୍ବୋଚ୍ଚ କରୁଣା ପ୍ରାପ୍ତ କରିପାରିବା।
ଆଜି ସମଗ୍ର ବିଶ୍ୱରେ ଆଲୋକ ଓ ପ୍ରଗତିର ଦୀପଶିଖା ଜଳୁଥିଲେ ବି, ମନ ଓ ବିବେକରେ ଅମାବାସ୍ୟାର ଘନ ଅନ୍ଧକାର ରାଜୁତି କରୁଛି। ଦେଶ ଦେଶ ଭିତରେ ବଢିଚାଲିଛି ଅସୂୟା, ଅବିଶ୍ୱାସ ଏବଂ ଆତଙ୍କବାଦର କରାଳ ଜିହ୍ୱା ସମଗ୍ର ବିଶ୍ୱକୁ ଘାରିଛି। ସ୍ୱାର୍ଥନ୍ୱେଷୀ ମଣିଷ ନିଜର ବସ୍ତୁବାଦୀ ଜୀବନଶୈଳୀ ଓ ଲାଳସାରେ ଏତେ ମୋହଗ୍ରସ୍ତ ଯେ ସେ ସୃଷ୍ଟିର ଉଦ୍ଦେଶ୍ୟ ଓ ସ୍ରଷ୍ଟାଙ୍କ ଉପସ୍ଥିତିକୁ ସଂପୂର୍ଣ୍ଣ ଭୁଲିଯାଇଛି। ନିଜର ସ୍ୱାର୍ଥ ବ୍ୟତୀତ ମଣିଷକୁ କିଛି ବି ଦିଶୁନାହିଁ। ଏହି ସ୍ୱାର୍ଥ ଅନ୍ୱେଷଣର ପରିଣାମସ୍ୱରୂପ, ଆଜି ପଞ୍ଚଭୂତରେ ଗଢା ଏ ଶରୀର ପାଇଁ ଆବଶ୍ୟକ ବିଶୁଦ୍ଧ ପଞ୍ଚଭୂତ ମଧ୍ୟ ଦୁର୍ଲଭ ହୋଇଯାଇଛି। ମଣିଷର ଅନ୍ଧ ଆନୁଗତ୍ୟ ଏବଂ ପ୍ରକୃତିର ଅବିବେକୀ ଶୋଷଣ ଯୋଗୁଁଁ ଆମର ପରିବେଶ ପ୍ରଦୂଷିତ ହୋଇଛି। ମାଟି, ପାଣି ଓ ପବନ ସବୁକିଛି ବିଷାକ୍ତ। ବିଶେଷକରି ଶିଳ୍ପାଞ୍ଚଳ ଓ ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ମାରାତ୍ମକ ରୂପ ନେଇଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ପ୍ରତି ସର୍ବାଗ୍ରେ ବିପଦ ସୃଷ୍ଟି କରି ମୃତ୍ୟୁର କାରଣ ହେଉଛି। ସେହିଭଳି ଦେଶ ଦେଶ ମଧ୍ୟରେ ଥିବା ଗଭୀର ଅବିଶ୍ୱାସର କାଳିମା, ଆତଙ୍କବାଦର କରାଳ ଛାୟା ଏବଂ ଯୁଦ୍ଧ ବିଭୀଷିକାର ପ୍ରଳୟଙ୍କରୀ ରୂପ ଭଳି ବାହ୍ୟ ଶତ୍ରୁଗଣ ମୂଳତଃ ମଣିଷ ଭିତରେ ଥିବା ଅଜ୍ଞାନତା, ଲୋଭ ଓ ଅହଂକାରରୁ ହିଁ ଜନ୍ମ ନେଇଛନ୍ତି।
ମଣିଷର ହୃତ ମାନବିକତା ଫେରିଆସିପାରିବ କେବଳ ଶକ୍ତିର ଜାଗରଣ ଦ୍ୱାରା। ମା ମହାକାଳୀ ହେଉଛନ୍ତି ଅମାନାଶ (ଅହଂକାର ନାଶ)ର ଦେବୀ ଏବଂ ସମସ୍ତ ଭୟରୁ ମୁକ୍ତିଦାତ୍ରୀ, ତେଣୁ ତାଙ୍କର କରୁଣାର ଆଲୋକ ହିଁ ଏହି ବିଶ୍ୱବ୍ୟାପୀ ଅନ୍ଧକାରକୁ ଦୂର କରିପାରିବ। ତାଙ୍କ ଆଶୀର୍ବାଦରେ ହିଁ ମଣିଷ ନିଜ ଭିତରେ ଥିବା ’ଶବ’ (ଜଡ଼ତା)କୁ ତ୍ୟାଗ କରି ଶକ୍ତିର ଜାଗରଣ ଏବଂ ପରସ୍ପର ପ୍ରତି ବିଶ୍ୱାସ, ସହନଶୀଳତା ଓ ମାନବିକତାର ଦିବ୍ୟ ଆଲୋକରେ ଜଗତକୁ ପୂର୍ଣ୍ଣ କରିପାରିବ।
ମା କାଳୀ କେବଳ ଦେବୀ ନୁହନ୍ତି, ସେ ହେଉଛନ୍ତି ଜୀବନ, ମୃତ୍ୟୁ, ପରିବର୍ତ୍ତନ ଏବଂ ପରିଶେଷରେ ଅନନ୍ତ ଶାନ୍ତିର ଏକ ଅବିସ୍ମରଣୀୟ ଶିକ୍ଷା। ଦୀପାବଳି ହେଉଛି ଆଲୋକ ଆଉ ସର୍ଜନର ପର୍ବ। ଏହି ପବିତ୍ର ଅବସରରେ, ମଣିଷକୁ ତା’ର ସ୍ୱାର୍ଥମୋହରୁ ବାହାରି ପ୍ରକୃତିର ସୁରକ୍ଷା ପାଇଁ ଚିନ୍ତନ କରିବାକୁ ପଡ଼ିବ। ଆସନ୍ତୁ ପ୍ରାର୍ଥନା କରିବା:
‘ହେ ମା’ ଆମ ସମସ୍ତଙ୍କୁ ଅଜ୍ଞାନ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ଘେନିଯାଅ, ଅସତ୍ୟରୁ ସତ୍ୟ ଆଡ଼କୁ ଆଗେଇ ନିଅ ଏବଂ ମୃତ୍ୟୁରୁ ଅମୃତର ଚେତନା ଆଡ଼କୁ ରାସ୍ତା ଦେଖାଅ। ଆଲୋକରେ ହେଉ ସମଗ୍ର ବିଶ୍ବର ଅଭିଷେକ।
(‘ସମାଜ’ ପ୍ରସ୍ତୁତି)
ଆଲୋକରେ ହେଉ ବିଶ୍ୱର ଅଭିଷେକ
Popular Categories



