ନୂଆପଡା – ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସେ ମାଆ ଦୂର୍ଗାଙ୍କର ଦର୍ଶନ କରିଥିଲେ । ଏକ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ଏହି ଉପନିର୍ବାଚନ ପାଇଁ ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସୀରାମ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଏହି ଉପନିର୍ବାଚନ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।
ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ । ୧୬ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି । ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ । ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ ।
ନଭେମ୍ବର ୧୧ (ମଙ୍ଗଳବାର) ତାରିଖ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ । ଅନ୍ୟପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳର ୪୭ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ନଭେମ୍ବର ୧୬ ( ରବିବାର) ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।
ପ୍ରକାଶଥାଉକି, ନୂଆପଡ଼ା ଉପ-ନିର୍ବାଚନରେ ୧,୨୪,୧୦୮ ପୁରୁଷ, ୧,୨୯,୪୯୫ ମହିଳା, ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟରଙ୍କୁ ମିଶାଇ ମୋଟ ୨,୫୩,୬୨୪ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଗତ ୯ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚିଠା ଭୋଟର ତାଲିକା ଅନୁସାରେ, ଏହି ନିର୍ବାଚନ ମଣ୍ଡଳୀରେ ଯୁବ ଭୋଟରଙ୍କ ଅନୁପାତ ୨.୪୨% ଥିବାବେଳେ ଚୂଡାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୩.୭୨%ରେ ପହଞ୍ଚିଛି। ଚଳିତ ଉପ-ନିର୍ବାଚନରେ ଯୁବ ଭୋଟର ଏକ ପ୍ରକାର ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି।



