ମୁଥାଲିକ୍‌ଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ : ନିର୍ବାଚନାଭିମୁଖୀ କର୍ଣ୍ଣାଟକରେ କଂଗ୍ରେସ ଏହାର ଇସ୍ତାହାରରେ ଧର୍ମ ନାମରେ ଭୋଟ୍‌ ନିବେଦନ କରିଥିବା ଦର୍ଶାଇ ରାଷ୍ଟ୍ରୀୟ ହିନ୍ଦୁ ସେନା ମୁଖ୍ୟ ପ୍ରମୋଦ ମୁଥାଲିକଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା ପରେ ମୁଥାଲିକ୍‌ ଏହାକୁ ବିରୋଧ କରିବା ସହିତ ଏଥିରୁ ଜାତିଭିତ୍ତିକ ଭୋଟ ନିବେଦନ ବାଦ୍‌ କରିବା ଲାଗି ନିର୍ବାଚନ କମିସନକୁ ନିର୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ଧର୍ମ ନାମରେ ଭୋଟ୍‌ ନିବେଦନ କରାଯାଇ ପାରିବ ନାହିଁ ବୋଲି ୭ ଜଣ ବିଚାରପତିଙ୍କ ଏକ ପୀଠ ପୂର୍ବରୁ ନିର୍ଦେଶ ଦେଇଥିବା ଆଇନଜୀବୀ ବିଷ୍ଣୁ ଜୈନ୍‌ ଏହି ଆବେଦନର ଶୁଣାଣି ବେଳେ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ। ଏଥିସହ କର୍ଣ୍ଣାଟକରେ ଜାତିକୁ ଭିତ୍ତି କରି ଭୋଟ୍‌ ଲୋଡୁଥିବା କଂଗ୍ରେସ ପ୍ରାର୍ଥୀମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମଧ୍ୟ ସେ ନିବେଦନ କରିଥିଲେ। କିନ୍ତୁ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଅଦାଲତ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ. ଏମ୍‌. ଖାନ୍‌ୱିଲକର ଏବଂ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ନିର୍ବାଚନ ସମାପ୍ତ ହେବା ପରେ ଅଭିଯୋଗକାରୀମାନେ ଲୋକପ୍ରତିନିଧି ଆଇନ ଅନୁଯାୟୀ ଅଦାଲତରେ ଏ ସମ୍ବନ୍ଧରେ ସାନି ଆବେଦନ କରିପାରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। କର୍ଣ୍ଣାଟକରେ ମେ’ ୧୨ରେ ୨୨୩ଟି ବିଧାନସଭା ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ। ମେ’ ୧୫ରେ ଫଳାଫଳ ଘୋଷଣା କରାଯିବ।

Leave A Reply