ସନ୍ତୋଷୀ ପୂଜାକୁ ନେଇ ଦୁଇ ଝିଅଙ୍କ ମଧ୍ୟରେ ବଚସା; ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ବାପାକୁ ହତ୍ୟା କଲେ ପଡ଼ୋଶୀ
ଢ଼େଙ୍କାନାଳ: ଗାଁର ଦୁଇ ଝିଅଙ୍କ ମଧ୍ୟରେ ବଚସା ପରେ ଜଣେ ଯୁବତୀଙ୍କ ବାପାଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଛି । ଏହି ଘଟଣା ଘଟିଛି ଢ଼େଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ । ପୂର୍ବ ଶତ୍ରୁତାରୁ ବିଜୟ ଗୁରୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ଶୁକ୍ରବାର ଦିନ ସନ୍ତୋଷୀ ପୁଜା ପାଇଁ ବିଜୟଙ୍କ ଝିଅ ମୋନାଲି ଗାଁ ଭିତରକୁ ଯାଇଥିଲେ । ସେଠାରେ ଭୋଗକୁ ନେଇ ସେହି ସାହିର ପୂଜା ନାମକ ଜଣେ ଝିଅ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ପୂଜା ମୋନାଲିର ଗାଲକୁ କାମୁଡ଼ି ଦେଇଥିଲା । ଏ ସମ୍ପର୍କରେ ଫାଣ୍ଡିରେ ଅଭିଯୋଗ ମଧ୍ୟ ହୋଇଥିଲା ଓ ପୁଲିସ ହସ୍ତକ୍ଷେପ ପରେ ମାମଲା ସମାଧାନ ହୋଇଥିଲା ।
ମାତ୍ର ଦିନକ ପରେ ମୋନାଲିର ବାପା ବିଜୟ ଘର ସାମ୍ନାରେ ନିଆଁ ପୁଉଁଥିବାବେଳେ କିଛି ବ୍ୟକ୍ତି ସେଠାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଠେଙ୍ଗା ଓ ଟାଂଗିଆରେ ବିଜୟଙ୍କୁ ହାଣି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ବିଜୟଙ୍କ ପତ୍ନୀ ବୁଢ଼ି ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ କିଛି ବ୍ୟକ୍ତିଙ୍କ ନାମ ସେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଏହି ସୂଚନା ଆଧାରରେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।
Comments are closed.