ମିରଟ: ପୁଲିସ ଇନିସ୍ପେକ୍ଟରଙ୍କ ସହାୟତାରେ ଚାଲୁଥିଲା ଦେହ ବ୍ୟବସାୟ , ଇନିସ୍ପେକ୍ଟରଙ୍କ ସହ ୬ ଗିରଫ
ମିରଟ: ମିରଟରେ ଏକ ମସାଜ୍ ପାର୍ଲରରେ ପୁଲିସ ଚଢଉ କରିଥିଲା । ଏହି ମସାଜ ପାର୍ଲରେ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଥିଲା । କିଛି କଲେଜ ଛାତ୍ରୀଙ୍କୁ ମସାଜ ପାର୍ଲର ଆଳରେ ଖରାପ କାମରେ ଲଗାଯାଉଥିବା ଅଭିଯୋଗ ହୋଇଥିଲା । ଏଠାରେ ଅନ୍ ଲାଇନ୍ ବୁକିଂ ହୋଇ ଅନୈତିକ କାର୍ଯ୍ୟ ହେଉଥିଲା । ପୁଲିସ ଜଣେ କନେଷ୍ଟବଳଙ୍କୁ ଗ୍ରାହକ କରି ମସାଜ୍ ପାର୍ଲରକୁ ପଠାଇଥିଲା । ଅନୈତିକ କାର୍ଯ୍ୟ ଚାଲୁଥିବାର ପ୍ରମାଣ ପାଇବା ପରେ ପୁଲିସ ଚଢଉ କରିଥିଲା । ଏଠାରୁ ୩ ଜଣ ପୁରୁଷ ଓ ୩ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଛି ।
ହେଲେ ଏହାପରେ ଏକ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଏହି କଳା ଧନ୍ଦାରେ ଜଣେ ପୁଲିସ ଇନିସ୍ପେକ୍ଟର ସାମିଲ ଥିବା କଥାର ପର୍ଦ୍ଦାଫାଶ ହୋଇଛି । ଦୁର୍ନୀତି ନିବାରଣ ବିଭାଗର ପୁଲିସ ଇନିସ୍ପେକ୍ଟର ଏହାକୁ ଚଲାଉଥିବାର ପ୍ରମାଣ ମିଳିଛି । ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ସେ ଅଛନ୍ତି । ତାଙ୍କ ନାମ ଇନିସ୍ପେକ୍ଟର ବିଜୟ ବୀର ସିଂ, କେବଳ ସେତିକି ନୁହେଁ ସୋସାଇଟ୍ ଅଫ୍ ରେଜିଷ୍ଟାରକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଅଶୋକ କୁମାରଙ୍କୁ ଏହି ମସାଜ ପାର୍ଲରୁ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।