ସବୁଜ ଇନ୍ଧନ ନେଟ୍‍ୱର୍କ ସ୍ଥାପନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ : ଭାରତ ପ୍ରଦୂଷଣମୁକ୍ତ ସବୁଜ ଇନ୍ଧନ ନେଟ୍‍ୱର୍କ ସ୍ଥାପନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନୂଆଦିଲ୍ଲୀରେ ବିଶ୍ୱ ଗମନାଗମନ ଶିଖର ବୈଠକ ’ମୁଭ୍’ରେ ଉଦ୍‍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱ ଭବିଷ୍ୟତର ଗମନାଗମନ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବାବେଳେ ଏହି ରୂପାନ୍ତରଣରେ ଶସ୍ତା ତଥା ପ୍ରଦୂଷଣମୁକ୍ତ ଇନ୍ଧନ ପ୍ରତି ଆଲୋକପାତ କରାଯିବା ଆବଶ୍ୟକ। ସେ କହିଛନ୍ତି, ଭାରତର ପରିବହନ ବ୍ୟବସ୍ଥା ସାଧାରଣ ପରିବହନ ଭିତ୍ତିକ ହେବ। ସେ କହିଛନ୍ତି, ଯୁବପିଢ଼ିର ମନୋଭାବରେ ପରିବର୍ତ୍ତନ ଘଟି କାର୍‍ ଉପରୁ ସାଧାରଣ ପରିବହନ ପ୍ରତି କେନ୍ଦ୍ରୀଭୂତ ହେଉଛି। ମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ମେଟ୍ରୋ ଉତ୍ତମ ସର୍ବସାଧାରଣ ପରିବହନର ଏକ ଜ୍ୱଳନ୍ତ ଉଦାହରଣ।  ବିଦ୍ୟୁତ୍‍ ଚାଳିତ ଯାନ ଅଧିକ ଶସ୍ତା ହେବ ବୋଲି ଆଶା କରାଯାଉଛି ଓ ଧିରେ ଧିରେ ଏହା ତୈଳ ପ୍ରତି ଚାହିଦାକୁ କମ୍‍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତେବେ ସେ କହିଛନ୍ତି, ଏ ଦିଗରେ ଅଗ୍ରଗତି ବିଷୟରେ ଏବେ କିଛି କୁହାଯାଇପାରିବ ନାହିଁ ଓ ପ୍ରଦୂଷଣମୁକ୍ତ ଇନ୍ଧନ ବ୍ୟବହାର ଭବିଷ୍ୟତପାଇଁ ଅଧିକ ହିତକାରୀ ହେବ ବୋଲି ସରକାର ବିଶ୍ୱାସ କରନ୍ତି।

ଭାରତରେ ପେଟ୍ରୋଲ୍‍ ଓ ଡିଜେଲ୍‍ର ବ୍ୟବହାର ବାର୍ଷିକ ଶତକଡ଼ା ୫ ଭାଗ ହାରରେ ବୃଦ୍ଧି ପାଉଛି, ଯାହା ସମଗ୍ର ବିଶ୍ୱରେ ସର୍ବାଧିକ । ସେ କହିଛନ୍ତି, ଭାରତରେ ଏବେ ଦୈନିକ ସାଢ଼େ ଚାରି ନିୟୁତ ବ୍ୟାରେଲ୍‍ ତୈଳ ବ୍ୟବହାର ହେଉଛି ଓ ୨୦୩୫ ମସିହା ସୁଦ୍ଧା ଏହା ୧୦ ନିୟୁତ ବ୍ୟାରେଲ୍‍କୁ ଛୁଇଁବ। ଆନ୍ତର୍ଜାତିକ ଗମନାଗମନ, ତୈଳ ଓ ଗ୍ୟାସ୍‍ କମ୍ପାନୀଗୁଡ଼ିକ ଉପରେ ଏହାର ପ୍ରଭାବ ଓ ଭାରତର ଭବିଷ୍ୟତ ଗମନାଗମନ ବ୍ୟବସ୍ଥା ସ୍ଥିତିରେ ଘଟିବାକୁଥିବା ପରିବର୍ତ୍ତନ ସଂକ୍ରାନ୍ତରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Leave A Reply