ଯୋଗ ନିଦ୍ରା: ଏହାଦ୍ଵାରା ଭିନ୍ନ ଦୁନିଆକୁ ପଳାଉଥିଲେ ମୁନି-ଋଷି, କରେ ଦୀର୍ଘାୟୁ ଓ ସୁନ୍ଦର

ସମାଜ ଡିଜିଟାଲ ଡେସ୍କ: ଭାରତ ସମେତ ବିଶ୍ଵର ଅନେକ ଦେଶ ଆଜି ଯୋଗ ଦିବସ ପାଳନ କରୁଛନ୍ତି। ଯୋଗ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ପ୍ରାଚୀନ କାଳରେ ଯୋଗ ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କ ସହ ଯୋଡ଼ି ହେବାର ଏକ ମାଧ୍ୟମ ଥିଲା। ଏଥିସହ ମୁନି-ଋଷିମାନେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରାକୃତିକ ପଦ୍ଧତି ବ୍ୟବହାର କରୁଥିଲେ। କିଛି ଯୋଗାସନ ଏତେ ପ୍ରଭାବଶାଳୀ ଥିଲା, ଯାହା ଜଣେ ବ୍ୟକ୍ତିଙ୍କୁ ଦୀର୍ଘଜୀବୀ ଏବଂ ସୁନ୍ଦର ମଧ୍ୟ କରୁଥିଲା। ସେହିଭଳି ଚାପରୁ ଦୂରେଇ ରହିବା ପାଇଁ ମୁନି-ଋଷିମାନେ ଏକ ପ୍ରକାର ଧ୍ୟାନର ବ୍ୟବହାର କରୁଥିଲେ, ଯାହା କେବଳ ଚାପରୁ ମୁକ୍ତି ଦେଉନଥିଲା ବରଂ ଏହାଦ୍ଵାରା ସେମାନଙ୍କୁ ଭଲ ନିଦ ମଧ୍ୟ ହେଉଥିଲା। ଯୋଗ ଦିବସରେ ଆଜି ଆମେ ଆପଣଙ୍କୁ ଧ୍ୟାନର ଏକ ଚମତ୍କାରୀ ସ୍ଵରୂପ ଯୋଗ ନିଦ୍ରା ବିଷୟରେ କହୁଛୁ। ଯୋଗ ନିଦ୍ରାକୁ ମଧ୍ୟ ଏକ ଚମତ୍କାରୀ ଧ୍ୟାନ ମୁଦ୍ରା ଭାବରେ ବିବେଚନା କରାଯାଏ। ଏହି ଯୋଗ ସେହି ଲୋକମାନେ ମଧ୍ୟ କରିବା ଉଚିତ, ଯେଉଁମାନଙ୍କ ମନ ଅଶାନ୍ତ ରହୁଛି ଏବଂ ଏହି ଅଶାନ୍ତି କାରଣରୁ ରାତିରେ ସେମାନଙ୍କ ନିଦ ପ୍ରଭାବିତ ହେଉଛି। ଯୋଗ ନିଦ୍ରା ବିଷୟରେ ମହାଭାରତ, ଦେବୀମହାତ୍ମ୍ୟମ୍‌ରେ ମଧ୍ୟ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ଯୋଗ ନିଦ୍ରା କ’ଣ ଓ ଏହାକୁ କରିବା ଦ୍ଵାରା କ’ଣ ଲାଭ ମିଳିଥାଏ।

ଯୋଗ ନିଦ୍ରା କ’ଣ: 

ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି। ବେଳେବେଳେ ତ ଲୋକମାନେ ଏତେ ଥକି ଯାଆନ୍ତି ଯେ ସେମାନେ ରାତିରେ ଠିକ୍ ଭାବେ ଶୋଇପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ଯୋଗ ନିଦ୍ରାର ଅଭ୍ୟାସ କୌଣସି ଚମତ୍କାରରୁ କମ୍ ନୁହେଁ। ଅଶାନ୍ତ ମନକୁ ଶାନ୍ତ କରିବାର ସରଳ ଉପାୟ ହେଉଛି ଧ୍ୟାନ। ଯୋଗ ନିଦ୍ରା ଧ୍ୟାନର ସେହି ଅବସ୍ଥା, ଯାହାର ଅଭ୍ୟାସ ଦ୍ଵାରା ଶାରୀରିକ ଏବଂ ମାନସିକ ଚାପ ଦୂର ହୋଇ ମନକୁ ଶାନ୍ତି ମିଳିଥାଏ।

ଯୋଗ ନିଦ୍ରାର ଲାଭ:

ଯୋଗ ନିଦ୍ରା କେବଳ ଆପଣଙ୍କୁ ଥକ୍କାପଣରୁ ମୁକ୍ତି ଦେଇନଥାଏ ବରଂ ଏହାକୁ ସେହି ଲୋକମାନେ ମଧ୍ୟ ଅଭ୍ୟାସ କରିବା ଉଚିତ, ଯେଉଁମାନଙ୍କୁ ରାତିରେ ନିଦ ହେଉନାହିଁ। ଏହା ବ୍ୟତୀତ ଯୋଗ ନିଦ୍ରା ଚାପଗ୍ରସ୍ତ ଏବଂ ମାନସିକ ଅଶାନ୍ତି ଦେଇ ଗତି କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ବେଶ୍‌ ପ୍ରଭାବଶାଳୀ। ଚାପମୁକ୍ତ ରହିଲେ ଆପଣ ସୁସ୍ଥ ରହିବା ସହ ରୂପ ମଧ୍ୟ ସୁନ୍ଦର ହେବ।

ଯୋଗ ନିଦ୍ରା ଅଭ୍ୟାସ କେମିତି କରିବେ :

ଯଦି ଆପଣ ମଧ୍ୟ ଯୋଗ ନିଦ୍ରା କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ, ବରଂ ରାତିରେ ନିଜ ଶଯ୍ୟାରେ ଶୋଇଥିବା ସମୟରେ ଆପଣ ଏହି ଯୋଗ ନିଦ୍ରା କରିପାରିବେ। ଏହାକୁ କରିବା ପାଇଁ ସର୍ବପ୍ରଥମେ ଶବାସନରେ ଶୁଅନ୍ତୁ। ଶରୀରକୁ ସଂପୂର୍ଣ୍ଣ ଢିଲା ଛାଡିଦିଅନ୍ତୁ, ଯେପରି କୌଣସି ହଲଚଲ ନହେବ। ଏହାପରେ ନିଜ ନିଃଶ୍ୱାସ ପ୍ରଶ୍ଵାସର ଗତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ। ଗଭୀର ଭାବରେ ନିଃଶ୍ୱାସ ତ୍ୟାଗ କରନ୍ତୁ। ଏହାପରେ ଗୋଟିଏ ପାଦର ଆଙ୍ଗୁଠି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଧୀରେ ଧୀରେ ହୃଦୟ ଆଡ଼କୁ ଆସନ୍ତୁ। ସେହିଭଳି ଅନ୍ୟ ପାଦର ଆଙ୍ଗୁଠି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଧୀରେ ଧୀରେ ହୃଦୟ ଆଡ଼କୁ ଆସନ୍ତୁ। ସେହିଭଳି ଗୋଟିଏ ହାତର ଆଙ୍ଗୁଠି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ହୃଦୟ ଆଡ଼କୁ ଆସନ୍ତୁ। ଏହାପରେ ଅନ୍ୟ ହାତର ଆଙ୍ଗୁଠି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ ଏବଂ ହୃଦୟ ଆଡ଼କୁ ଆସନ୍ତୁ। ଏହିପରି ଗୋଟିଏ ପରେ ଗୋଟିଏ ଶରୀରର ଅନ୍ୟ ଅଙ୍ଗ ଉପରେ ଧ୍ୟାନ ଦିଅନ୍ତୁ ଏବଂ ହୃଦୟ ଆଡ଼କୁ ଆସନ୍ତୁ। ଶରୀର ଧୀରେ ଧୀରେ ଶିଥିଳ ହୋଇଯାଏ। ଏହା ଶାରୀରିକ ଆରାମ ପ୍ରଦାନ କରିଥାଏ।

କଳ୍ପନା ଦୁନିଆରେ ପହଞ୍ଚି ଆସିବ ଉତ୍ତମ ନିଦ୍ରା:

ଯୋଗ ନିଦ୍ରାର ଏହି ଅବସ୍ଥାରେ ପହଞ୍ଚିବା ପରେ ଏବେ କଳ୍ପନା ଶକ୍ତିର ବ୍ୟବହାର କରିବାକୁ ପଡ଼ିବ। ଏବେ ମାନସିକ କଳ୍ପନା ଦ୍ଵାରା ମନ ଶରୀରରୁ ବାହାରକୁ ଆସିବ। ଯେପରିକି, ପର୍ବତ, ଝରଣା, ନଦୀ, ସବୁଜତା, ବଗିଚା, ବିଭିନ୍ନ ପ୍ରକାରର ଗଛ, ସୂର୍ୟ୍ୟୋଦୟ, ପକ୍ଷୀମାନଙ୍କର ରାବ, ନିଜ ଇଷ୍ଟ ଦେବତାଙ୍କୁ ପୂଜାର୍ଚ୍ଚନା ଇତ୍ୟାଦି ଉପରେ କାଳ୍ପନିକ ଧ୍ୟାନ କରନ୍ତୁ। ଏହାଦ୍ଵାରା ମନ ଶାନ୍ତ ହୋଇଯାଏ ଏବଂ ମାନସିକ ଆରାମ ମିଳିଥାଏ। ଏହାପରେ ଧୀରେଧୀରେ କଳ୍ପନା ଦୁନିଆରୁ ବାହାରକୁ ବାହାରନ୍ତୁ।

ଯୋଗ ନିଦ୍ରା ଦ୍ଵାରା ମୁନି-ଋଷି କରୁଥି​‌ଲେ ଅଲଗା ଦୁନିଆରେ ବିଚରଣ:

ଯୋଗ ନିଦ୍ରା ଅଭ୍ୟାସ କରୁକରୁ ମୁନି-ଋଷି ଏତେ ଅଭ୍ୟସ୍ତ ହୋଇଯାଉଥିଲେ ଯେ, ଏହି ଧ୍ୟାନ ଅବସ୍ଥାରେ ସେମାନେ ନିଜ କଳ୍ପନା ଶକ୍ତିକୁ ବ୍ୟବହାର କରି ଅଲଗା ଦୁନିଆରେ ପହଞ୍ଚି ଯାଉଥିଲେ। ଏହାର ଅର୍ଥ ହେଉଛି, ସେମାନେ ମାନସିକ ସ୍ତରରେ ଏତେ ଶାନ୍ତ ଏବଂ ଶକ୍ତିଶାଳୀ ହୋଇଯାଉଥିଲେ ଯେ ସେମାନଙ୍କ ଆତ୍ମା ​​ଅନ୍ୟ କୌଣସି କଳ୍ପନା ଦୁନିଆରେ ବୁଲିବାକୁ ଲାଗୁଥିଲା। କିନ୍ତୁ ଯୋଗ ନିଦ୍ରାର ଏହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ ବହୁ ବର୍ଷର ପରିଶ୍ରମ ଏବଂ ଅଭ୍ୟାସ ଆବଶ୍ୟକ।

Comments are closed.