ପାନୀୟ ଜଳ ସଙ୍କଟ ପାଇଁ ସରପଞ୍ଚ ଓ ଯନ୍ତ୍ରୀଙ୍କୁ ଅଟକ ରଖିଲେ ସାହି ବାସିନ୍ଦା

ପାଣି ପାଇଁ ହଟହଟା

ମୋହନା/ଚାନ୍ଦିପୁଟ : ପିଇବା ପାଣି ସଙ୍କଟକୁ ନେଇ ତାତିଲେ ସାହି ବାସିନ୍ଦା । ବାରମ୍ବାର ଅଭିଯୋଗ ଜଣାଇ ନୟାନ୍ତ ହେବା ପରେ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଶେଷରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଡକାଇ ଘଣ୍ଟା ଘଣ୍ଟା ଧରି ସାହିରେ ଅଟକାଇ ରଖିଲେ ସାହି ବାସିନ୍ଦା। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ସହର ଉପକଣ୍ଠରେ ଥିବା ୧୪ ନମ୍ବର ୱାର୍ଡ ଢେପସାହିରେ। ଢେପସାହିରେ ପ୍ରାୟ ୧୩୦ରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ତିନୋଟି ନଳକୂପ ଅବ୍ୟବସ୍ଥାରେ ପଡିରହିଛି । ସେଥିମଧ୍ୟରୁ ଗୋଟିଏ ନଳକୂପକୁ ଖୋଦ୍ ୱାର୍ଡ ମେମ୍ବର ସସ୍ମିତା ମିଶ୍ର ନିଜ ଜାଗା ଦର୍ଶାଇ ବଳ ପୁର୍ବକ ବନ୍ଦ କରିଦେଇଥିବା ବେଳେ ଅନ୍ୟ ଦୁଇଟି ମଧ୍ୟରୁ ଗୋଟିଏ ସମ୍ପୁର୍ଣ୍ଣ ଭାବେ ଅଚଳ ହୋଇ ତିନି ବର୍ଷ ହେଲା ପଡିରହିଛି । ଅନ୍ୟ ନଳକୂପରୁ ଲୈହମିଶ୍ରିତ ଦୂଷିତ ପାଣି ବାହାରୁଥିବା ହେତୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଦୀର୍ଘ ବର୍ଷ ଧରି ସାହି ବାସିନ୍ଦା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଗତ କିଛି ବର୍ଷ ତଳେ ସୌର ଚାଳିତ ପାଣିଟାଙ୍କି ନିର୍ମାଣ କରାଯାଇଥିଲା, ହେଲେ ତାହା ମଧ୍ୟ ମେଘୁଆ ପାଗରେ ଅଚଳ ହୋଇପଡୁଛି । ଯାହାକୁ ନେଇ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ଅନ୍ୟପକ୍ଷରେ ସବୁ ଜାଣି ମଧ୍ୟ ସରପଞ୍ଚ ସୁନିତା ମଲ୍ଲିକ ଓ ବିଭାଗୀୟ ଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇ ସାହି ବାସିନ୍ଦା ପ୍ରତି ଅବହେଳା କରିଆସୁଥିବା ଯୋଗୁଁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୌଣସି ପଦକ୍ଷେପ ନିଆଯାଉ ନାହିଁ ।
ସୋମବାର ପାନୀୟ ଜଳ ସମସ୍ୟା ନେଇ ସାହି ବାସିନ୍ଦା ଏକତ୍ରିତ ହୋଇ ସରପଞ୍ଚ ଓ ଯନ୍ତ୍ରୀଙ୍କୁ ଡାକିଥିଲେ ଏବଂ ସେଠାରେ ଯଥାଶୀଘ୍ର ସମସ୍ୟାର ସମାଧାନ କରି ପାଣି ଯୋଗାଇଦେବାକୁ ଦାବି କରିଥିଲେ । ଏଭଳିକି ଉତେଜନା ପୁର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ସହ ସାହି ବାସିନ୍ଦା ସ୍ଥାନୀୟ ୱାର୍ଡ ମେମ୍ବର ସସ୍ମିତା ମିଶ୍ର, ସରପଞ୍ଚ ସୁମିତ୍ରା ମଳିକ, ଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକାଇ ରଖିଥିଲେ। ଏନେଇ ପଞ୍ଚାୟତରେ କୌଣସି ଯୋଜନା ହୋଇନାହିଁ ଏବଂ ଯଥା ଶୀଘ୍ର ସୁବନ୍ଦୋବସ୍ତ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେବା ପରେ ଛାଡିଥିଲେ ସାହି ବାସିନ୍ଦା । ତେବେ ଦୁଇଦିନ ମଧ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ କଲେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗରା ମାଠିଆ ଧରି ଆନ୍ଦୋଳନକୁ ଓଲ୍ଲାଇବେ ବୋଲି  ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି।

Comments are closed.