ନିଆରା ଅଭ୍ୟାସ, ଭିନ୍ନ ଏକ ମଣିଷ

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଠାରେ ଥିବା ବନ ବିଦ୍ଭାଗର କର୍ମଚାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବନପାଳ ବାରିକ ବେହେରାଙ୍କ ନିଆରା ଅଭ୍ୟାସ ତାଙ୍କୁ ଜଣେ ଭିନ୍ନ ମଣିଷ କରିଦେଇଛି। ସେ ପେସାରେ ବନପାଳ କିନ୍ତୁ ନିଶା ତାଙ୍କର ନିଆରା। ଚିତ୍ର ଆଙ୍କିବା ହେଉଛି ତାଙ୍କର ନିଶା। ଚନ୍ଦ୍ରଗିରି ବନାଞ୍ଚଳ ଚାନ୍ଦିପୁଟ ସେକସନ୍ ବନପାଳ ଭାବେ ସେ ୨୫/୧/୨୩ରେ କାର୍ଯ୍ୟଭାର ଗ୍ରହଣ କରିବା ଦିନ ଠାରୁ ବୃକ୍ଷକୁ ଜୀବନ ଭାବି ବୃକ୍ଷ ପ୍ରତି ଦୟାଭାବ ପୋଷଣ କରି କାର୍ଯ୍ୟ କରି ଆସୁଛନ୍ତି। ବାରିକ ବେହେରା ପ୍ରଥମେ ବନରକ୍ଷୀ ଭାବେ ବିଭାଗରେ ଯୋଗ ଦେଲା ପରେ ପଦୋନ୍ନତି ପାଇ ବର୍ତ୍ତମାନ ବନପାଳ ଭାବେ କାର୍ଯ୍ୟରତ ଅଛନ୍ତି। ଦିନ ତମାମ ଜଙ୍ଗଲରେ ତଥା ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁ ଥିବାବେଳେ ସେଥିରୁ କିଛି ମୂହୁର୍ତ୍ତ ସମୟ ପାଇଲେ ସେ ସମୟକୁ ହାତଛଡା ନକରି ଚାରାଗୁଡ଼ିକର ନାମ ଫଳକ ଲେଖିବା ଓ ଚିତ୍ର ଆଙ୍କି ଆକର୍ଷଣ କରିବା ନିଶାରେ ଲାଗିପଡନ୍ତି। ଯେପରିକି କାର୍ଯ୍ୟାଳୟର ପ୍ରାଚୀରରେ ଚିତ୍ର ଆଙ୍କିବା ସହ ନାମ ଫଳକ ଲେଖିଛନ୍ତି।

ଏହି କାମରେ କୌଣସି ପାରିଶ୍ରମିକ ଆଶା ନରଖି ନିଷ୍ଠାପର ଭାବେ କର୍ମକରନ୍ତି । ଅନ୍ୟ ସମୟରେ ନିଜ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଗଛର ଚାରା ଲଗାଇ ଗଛ ଚିହ୍ନଟ ନିମନ୍ତେ ନାମ ବି ଲେଖିଛନ୍ତି ଓ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି। ଏହି କାର୍ଯ୍ୟ ପାଇଁ ଅନେକଥର ସେ ପୁରସ୍କୃତ ବି ହୋଇଛନ୍ତି । ବନପାଳ ବାରିକ ଜଣେ ନିଷ୍ଠାପର, ମେଳାପି, ପରୋପକାରୀ କର୍ମଚାରୀ ଭାବେ ବେଶ ପରିଚିତ ହୋଇଥିବାରୁ ତାଙ୍କୁ ତାଙ୍କ ସହକର୍ମୀ, ଅଞ୍ଚଳବାସୀ ତଥା ଉପରିସ୍ଥ ଅଧିକାରୀମାନଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି। ତାଙ୍କର ଏଭଳି ନିଆରା କାର୍ଯ୍ୟଶୈଳୀକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

Comments are closed.