ଗୋଦାମ ଘରେ ପଡ଼ିରହି ଖତ ଖାଉଛି ଦିବ୍ୟାଙ୍ଗଙ୍କ ସାମଗ୍ରୀ

ମୋହନା: ରାଜ୍ୟ ସରକାର ବିକାଶର ରଥକୁ ଦ୍ରୁତ ଗତିରେ ଆଗକୁ ନେଉଥିବା ବେଳେ ପ୍ରଶାସନର ଅବହେଳା କାରଣରୁ ତଳ ସ୍ତରର ଲୋକଙ୍କ ନିକଟରେ ସେହି ଫାଇଦା ପହଞ୍ଚି ନପାରି ହରିଲୁଟ ହେବାରେ ଲାଗିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୋଷ୍ଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀଙ୍କ ଗୋଦାମ ଗୃହରେ । ପ୍ରଶାସନ ସବୁ ଜାଣିଶୁଣି ଚୁପ ରହିଛି । ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଂଚାୟତରେ ଅନେକ ଧରଣର ଦିବ୍ୟାଙ୍ଗ ରହିଛନ୍ତି । ବହୁ ଦିବ୍ୟାଙ୍କ ଚାଲିବାରେ, ଶୁଣିବାରେ ଓ ଦେଖିବାରେ ଅକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ ସହାୟତା ମିଳିବାରେ ବହୁ ବିଳମ୍ଵ ଘଟୁଛି। ସେମାନଙ୍କ ପାଇଁ ଆସିଥିବା ଦୁଇ ଓ ତିନି ଚକ ବିଶିଷ୍ଟ ସାଇକେଲ ଓ ଆଶାବାଡି ସେମାନଙ୍କୁ ଦିଆ ନ ଯାଇ କାର୍ଯ୍ୟାଳୟ ବାହାରେ ଏକ ପରିତ୍ୟକ୍ତ କୋଠରୀରେ ଖତ ଖାଉଥିବା ଦେଖିବାକୁ ମିଳିଛି। ସାଇକେଲ ଗୁଡିକ ଭାଙ୍ଗି ନଷ୍ଟ ହେବା ସହ ସେଥିରେ କଳଙ୍କି ମଧ୍ୟ ଲାଗିଗଲାଣି। ଦୃଷ୍ଟିହୀନଙ୍କ ଆଶା ବାଡ଼ି ଗୁଡିକ ମଧ୍ୟ ଭାଙ୍ଗି ପଡି ରହିଛି। ଏ ସମ୍ପର୍କରେ ଦାୟିତ୍ଵରେ ଥିବା ବ୍ଳକ ସାମାଜିକ ସୁରକ୍ଷା କାର୍ୟ୍ୟାଳୟର ପୋଗ୍ରାମ ଆସିଷ୍ଟାଣ୍ଟ ମନସ୍ଵୀ ବୀରଙ୍କୁ ପଚାରିବାରୁ ସେ କହିଛନ୍ତି ଗତ ୨୦୧୭ ମସିହାରେ ସେ ଏହି ବିଭାଗରେ ଦାୟିତ୍ଵ ନେଇଥିଲେ।ଏହା ପୂର୍ବରୁ ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ସାମଗ୍ରୀ ଗୁଡିକ ନଷ୍ଟ ହୋଇ ପଡି ରହିଛି। ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ଦିବ୍ୟାଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇପାରିନି।ଯାହା ଫଳରେ ସାମଗ୍ରୀ ଗୁଡିକ ବଣ୍ଟନ ନ ହୋଇ ପଡି ରହିଛି। ୨୦୧୬ରୁ ଏତେ ପରିମାଣରେ ସାଇକେଲ ଓ ଆଶାବାଡି ଖତ ଖାଉଛି ତାହା ଉପରେ କିପରି ବ୍ଲକ ପ୍ରଶାସନର ନଜର ପଡୁନି ଏବଂ ପୁଣି ନୂଆ ଜିନିଷ ଅଣାଯାଉଛି। ତାହା ମଧ୍ୟ ବଣ୍ଟନ ନ ହୋଇ ଗୋଦାମ ଗୃହରେ ଖତ ଖାଇ ନଷ୍ଟ ହେଉଛି ତାହା ବୃଦ୍ଧିଜିବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।

 

kalyan agarbati

Comments are closed.