ପୋପ୍ଙ୍କୁ ଭେଟିଲେ ମୋଦୀ, ଭାରତ ଆସିବାକୁ ନିମନ୍ତ୍ରଣ
ଭାଟିକାନ୍ ସିଟି: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ଗସ୍ତ ଅବସରରେ ଶନିବାର ଜି-୨୦ ବୈଠକ ପୂର୍ବରୁ ଭାଟିକାନ୍ ସିଟିଠାରେ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କୁ ସାକ୍ଷାତ୍ କରିଛନ୍ତି। ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ୍ ପ୍ରଥମ। ସାକ୍ଷାତ୍ ଆଲୋଚନା ପାଇଁ ମାତ୍ର ୨୦ ମିନିଟ୍ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଉଭୟ ପ୍ରାୟ ଗୋଟିଏ ଘଣ୍ଟା ଏକାଠି ବିତାଇଥିଲେ। ଏହି ଅବସରରେ ସେମାନେ ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଆଦି ବହୁବିଧ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ମୋଦୀ। ଏଥିସହିତ ପୋପ୍ଙ୍କୁ ଭାରସ୍ତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପୋପ୍ ମୋଦୀଙ୍କୁ ସମସ୍ତ ସଫଳତା ପାଇଁ ଆଶୀର୍ବାଦ କରିଛନ୍ତି। ଭାରତରେ ମୋଟ ଜନସଂଖ୍ୟାର ୨.୩ ପ୍ରତିଶତ ଖ୍ରୀଷ୍ଟିଆନ୍; ବିଶେଷକରି ରୋମାନ୍ କାଥ୍ଲିକ୍ ସମ୍ପ୍ରଦାୟର ଲୋକ ଥିବାରୁ ଏହି ସାକ୍ଷାତ୍କାର ଗୁରୁତ୍ବପୂର୍ଣ୍ଣ। କେରଳ ଓ ଗୋଆରେ ଏହି ସମ୍ପ୍ରଦାୟର ଅଧିକ ଲୋକ ବସବାସ କରନ୍ତି। ପୋପ୍ଙ୍କୁ ମୋଦୀ ସାକ୍ଷାତ୍ କରିବା ସମୟରେ ଭାରତର ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଉପସ୍ଥିତ ଥିଲେ। ମୋଦୀ ସ୍ଥାନୀୟ କାର୍ଡିନାଲ ପିଏଟ୍ରୋ ପାରୋଲିନ୍ଙ୍କ ସହିତ ମଧ୍ୟ ସାକ୍ଷାତ୍ ଆଲୋଚନା କରିଥିଲେ।
Comments are closed.