www.samajalive.in
Monday, December 15, 2025
26.1 C
Bhubaneswar

୨୪ରେ ଓଡ଼ିଶା ଆସିବେ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୪ରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଖୋର୍ଦ୍ଧାଠାରେ ଏକ ବିଶାଳ ଜନସମାବେଶରେ ଉଦ୍‍ବୋଧନ ଦେବେ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଡ. ଅରୁଣ ସିଂ ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଜନସମର୍ଥନ ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ବିଜେପି ପ୍ରତି ଲୋକଙ୍କ ଆସ୍ଥା ଦିନକୁ ଦିନ ବଢ଼ୁଛି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଘନଘନ ଗସ୍ତ କରୁଛନ୍ତି ଓ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଉଛନ୍ତି। ଆଗାମୀ ଦିନରେ ରାଜ୍ୟରେ ନିଶ୍ଚିତ ରୂପେ ଏହାର ପ୍ରଭାବ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଥିବାରୁ ଖୁବ୍‍ଶୀଘ୍ର ଓଡ଼ିଶାରେ ବିଭିନ୍ନ ଦଳରୁ ରାଜନେତା ଓ କର୍ମୀ ବିଜେପିରେ ଯୋଗଦେବେ। ସେମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ରହିଛନ୍ତି ବୋଲି ଶ୍ରୀ ସିଂ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।
ଶ୍ରୀ ସିଂ କହିଛନ୍ତି ଯେ ଓଡ଼ିଶାରେ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାରର ଯୋଜନା କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ରାଜ୍ୟସରକାର କୃଷକ ସାଥୀ, ଗାଁ ସାଥୀ ଭଳି ଏବେ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ କୋଟି କୋଟି ଟଙ୍କା ନିଜ ଦଳୀୟ କର୍ମୀମାନଙ୍କୁ ବାଣ୍ଟି ହୀନ ରାଜନୀତି କରୁଛନ୍ତି। ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ଏକ ପିସି ସରକାର ଚାଲିଛି। ସବୁସ୍ତରରେ ବିନା ପିସିରେ କୌଣସି କାର୍ଯ୍ୟ ହେଉନାହିଁ। ଦଳୀୟ ନେତାଙ୍କଠାରୁ ଆରମ୍ଭ କରି ବିଧାୟକ ଏବଂ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ଓ ଭଷ୍ଟ୍ରାଚାରରେ ବୁଡି ରହିଛନ୍ତି। ସାଧାରଣ ଲୋକେ ପ୍ରତି କ୍ଷେତ୍ରରେ ଶୋଷଣର ଶିକାର ହେଉଛନ୍ତି। ରାଜ୍ୟବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଆଦି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଶାସକ ଦଳର ନେତାମାନେ ପିସି କାରବାର ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍‍ କରି ନିଜର ସମ୍ପତ୍ତି ବୃଦ୍ଧି କରିଛନ୍ତି। ଶାସକ ବିଜେଡି ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପାଣିର ଗାର ପାଲଟିଛି। ଏହାକୁ ଓଡିଶାବାସୀ ବୁଝିସାରିଲେଣି ଏବଂ ଆଗାମୀ ଦିନରେ ଏହା ବିରୋଧରେ ଜବାବ ଦେବେ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ଜନପରାମର୍ଶ ପଦଯାତ୍ରାରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories